Categories: ଖେଳ

୧୨ ବଲ ଯାହା ବଦଳାଇଦେଲା ଭାଗ୍ୟ…

ମୁମ୍ବାଇ,୧୬।୧୧ : ବିଶ୍ୱକପ ୨୦୨୩ର ଫାଇନାଲରେ ପ୍ରବେଶ କରିବାକୁ ନ୍ୟୁଜିଲାଣ୍ଡ ୬୦ ଟି ବଲରୁ ୧୩୨ ରନ ଆବଶ୍ୟକ କରୁଥିଲା । ଅତିରିକ୍ତ ୱିକେଟ ଏବଂ ଦୁଇ ସେଟ ବ୍ୟାଟ୍ସମ୍ୟାନଙ୍କ ଉପଲବ୍ଧତା ଯୋଗୁ ଏହି ଚ୍ୟାଲେଞ୍ଜ ଅସମ୍ଭବ ବି ଲାଗୁ ନ ଥିଲା। ତା’ପରେ ମହମ୍ମଦ ସିରାଜ ବୋଲିଂ କରିଥିଲେ। ଗ୍ଲେନ ଫିଲିପ୍ସ ତାଙ୍କ କଳରେ ଦୁଇଟି ଛକା ମାରି ଓଭରରେ ୨୦ ରନ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡକୁ ୯ ଓଭରରେ ଅର୍ଥାତ ୫୪ ବଲରେ ୧୧୨ ରନ ଆବଶ୍ୟକ ଥିଲା। ଗ୍ଲେନ ଫିଲିପ୍ସଙ୍କ ମନୋବଳ ଥିଲା କିନ୍ତୁ ରୋହିତ ଶର୍ମା ତାଙ୍କ ପାଇଁ ରଣନୀତି ପ୍ରସ୍ତୁତି କରିସାରି ଥିଲେ।

ରୋହିତ ଶର୍ମା ରବିନ୍ଦ୍ର ଜାଡେଜାଙ୍କ ସ୍ପେଲ୍‌ ଶେଷ କରିସାରିଥିଲେ କିନ୍ତୁ କୁଲଦୀପ ଯାଦବଙ୍କ ଦୁଇଟି ଓଭର ବଞ୍ଚାଇ ରଖିଥିଲେ। ୪୧ ତମ ଓଭରରେ କୁଲଦୀପ ବୋଲିଂ କରିଥିଲେ। ଶ୍ରେଷ୍ଠ ବ୍ୟାଟ୍ସମ୍ୟାନମାନେ ମଧ୍ୟ କୁଲଦୀପଙ୍କ ଚାଇନାମେନ ବଲ ବୁଝିପାରନ୍ତି ନାହିଁ; କୁଲଦୀପ ଗ୍ଲେନ ଫିଲିପ୍ସଙ୍କୁ ଦୁଇଟି ଡଟ ବଲ ବୋଲିଂ ପରେ ତୃତୀୟରେ ସିଙ୍ଗଲ ରନ ଦେଇଥିଲେ। ତା’ପରେ ଶତକ ହାସଲ କରିଥିବା ଡାରେଲ ମିଚେଲ ମଧ୍ୟ ଦୁଇଟି ଡଟ ବଲ ଖେଳିଥିଲେ। ନ୍ୟୁଜିଲାଣ୍ଡ ପ୍ରତି ଓଭରରେ ପ୍ରାୟ ୧୩ ରନ ସଂଗ୍ରହ କରିଥିବାବେଳେ ୪୧ ତମ ଓଭରରେ ମାତ୍ର ଦୁଇ ରନ ସ୍କୋର ହୋଇଥିଲା।

ଜସପ୍ରୀତ ବୁମ୍ରା ୪୨ ତମ ଓଭରରେ ଗ୍ଲେନ ଫିଲିପ୍ସଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ। ୪୪ ତମ ଓଭରରେ କୁଲଦୀପ ଯାଦବ ବୋଲିଂ ପାଇଁ ଆସିଥିଲେ। ଏଥର ମିଚେଲ ପ୍ରଥମ ବଲରେ ଗୋଟିଏ ଲେଖାଏଁ ନେଇଥିଲେ। ବର୍ତ୍ତମାନ ନ୍ୟୁଜିଲାଣ୍ଡର ଫିନିସର ମାର୍କ ଚାପମାନ ଆଗରେ ଥିଲେ। କୁଲଦୀପ ଧୀରେ ଧୀରେ ବୋଲିଂ ଆରମ୍ଭ କରି ବଲକୁ ଘୂରାଇବାକୁ ଲାଗିଲେ। ତିନୋଟି ବଲରେ ୨ ରନ ସ୍କୋର କରିବା ପରେ ଚାପମାନଙ୍କ ବ୍ୟାଟରେ ବାଜି ବଲ ସିଧା ରବିନ୍ଦ୍ର ଜାଡେଜାଙ୍କ ହାତକୁ ଯାଇଥିଲା।

କୁଲଦୀପ ଯାଦବ ତାଙ୍କର ଶେଷ ଦୁଇଟି ଓଭରରେ ୬ରନ ଦେଇ ଗୋଟିଏ ୱିକେଟ ନେଇଥିଲେ ଏବଂ ଖେଳର ମୋଡ ବଦଳାଇବା ସହିତ ନ୍ୟୁଜିଲାଣ୍ଡର ଭାଗ୍ୟକୁ ପରିବର୍ତ୍ତନ କରି ଦେଇଥିଲେ। ମ୍ୟାଚରେ କୁଲଦୀପ ଯାଦବ ୧୦ ଓଭରରେ ୫୬ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ।

 

Share