୧୨ ବିଲିୟନ ଡଲାର ରହସ୍ୟ

ନୂଆଦିଲ୍ଲୀ/ ବେଜିଂ, ୩।୧୧: ଦୁଇ ବଡ଼ ଅର୍ଥନୀତି ଚାଇନା ଓ ଭାରତ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ମତଭେଦରୁ ସମ୍ପର୍କରେ ତିକ୍ତତା ରହିଥିଲେ ହେଁ ବାଣିଜି୍ୟକ କାରବାର ଚାଲିଛି। ଏହି କାରବାର ଭିତରେ ଏକ ବଡ଼ ବ୍ୟତିକ୍ରମ ସାମ୍ନାକୁ ଆସିଛି। ଚାଇନାର କହିବା ହେଲା, ୨୦୨୨ର ପ୍ରଥମ ୯ ମାସରେ ଭାରତ ସହ ଏହାର ବାଣିଜି୍ୟକ କାରବାର ୧୦୩ ବିଲିୟନ୍‌ ଡଲାରକୁ ଛୁଇଁଛି। କିନ୍ତୁ ଭାରତର ତଥ୍ୟ କହୁଛି, ୯୧ ବିଲିୟନ ଡଲାରର ଦ୍ୱିପାକ୍ଷିକ ଟ୍ରେଡ୍‌ ହୋଇଛି। ଦୁଇ ଦେଶର ଦାବିରେ ତାଳମେଳ ନ ଥିବାରୁ ଅବଶିଷ୍ଟ ୧୨ ବିଲିୟନ ଡଲାର (ପ୍ରାୟ ୯୯,୧୯୭.୪୬ କୋଟି ଟଙ୍କା)କୁ ନେଇ ରହସ୍ୟ ଲାଗିରହିଛି।

ଗତ ୫ ବର୍ଷରେ ଭାରତ ଓ ଚାଇନା ମଧ୍ୟରେ ବାଣିଜି୍ୟକ କାରବାରରେ ୨୯% ବୃଦ୍ଧି ଘଟିଛି। ଭାରତ ପଡ଼ୋଶୀ ଦେଶରୁ ମୁଖ୍ୟତଃ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆମଦାନୀ କରିଥାଏ। ଟେଲିକମ୍ୟୁନିକେଶନ ଉପକରଣ, ଯାନବାହନ ଯନ୍ତ୍ରାଂଶ, ନ୍ୟୁକ୍ଲିୟର ମେଶିନାରି, ଡାକ୍ତରୀ ଉପକରଣ, ସାର, ଆଇରନ୍‌ ଓ ଇସ୍ପାତ, ପ୍ଲାଷ୍ଟିକ୍‌ ଟୟ, ଡେଏରି ପ୍ରଡକ୍ଟ ମଧ୍ୟ ଚାଇନାରୁ ଆମଦାନୀ କରାଯାଇଥାଏ। ଅନ୍ୟପକ୍ଷେ ଭାରତ ଜୈବିକ ସାରାୟନିକ ପଦାର୍ଥ, ତୁଳା, କପର୍‌, ଆଲୁମିନିୟମ୍‌, ଲୁଣ, ରବର ଓ ସିମେଣ୍ଟ ଆଦି ସାମଗ୍ରୀ ଚାଇନାକୁ ରପ୍ତାନି କରିଥାଏ। ଭାରତର ବଡ଼ ବଡ଼ ଶିଳ୍ପ ସଂସ୍ଥା ଓ କମ୍ପାନୀଗୁଡ଼ିକ ଏହି କାରବାର କରିଥାଆନ୍ତି। ବାଣିଜି୍ୟକ କାରବାର ସମୟରେ ଟିକସ ଫାଙ୍କିବା ପାଇଁ ଭାରତୀୟ ବ୍ୟବସାୟୀମାନେ ଅସାଧୁ ଉପାୟ ଅବଲମ୍ବନ କରୁଥିବା କେତେକ ରିପୋର୍ଟରୁ ଜଣାପଡ଼ିଛି।

ଚାଇନା ସୀମାଶୁଳ୍କ ବିଭାଗର ସାଧାରଣ ପ୍ରଶାସନ ପକ୍ଷରୁ ଉପଲବ୍ଧ ତଥ୍ୟାନୁସାରେ, ସେପ୍ଟେମ୍ବର ସୁଦ୍ଧା ଭାରତକୁ ପଡ଼ୋଶୀ ଦେଶ ୮୯.୯୯ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି କରିଥିଲା। କିନ୍ତୁ ଭାରତର ହିସାବକିତାବ ଅନୁସାରେ ଏହି ଅବଧି ମଧ୍ୟରେ ୭୯.୧୬ ବିଲିୟନ ଡଲାରର ଆମଦାନୀ ହୋଇଛି। ଏଠି ୧୦ ବିଲିୟନ ଡଲାର ବ୍ୟବଧାନ ରହିଛି। ସେହିପରି ଭାରତରୁ ରପ୍ତାନି ହୋଇଥିବା ସାମଗ୍ରୀର ମୂଲ୍ୟ ବାବଦକୁ ଆଉ ୨ ବିଲିୟନ ଡଲାର ଏପଟସେପଟ ହୋଇଛି। ଭାରତର ଡେଟା ଅନୁସାରେ ଚାଇନାକୁ ୧୨ ବିଲିୟନ ଡଲାର ସାମଗ୍ରୀ ରପ୍ତାନି ହୋଇଥିବାବେଳେ ବେଜିଂର ଜେନେରାଲ ଆଡମିନିଷ୍ଟ୍ରେଶନ୍‌ ଏହାକୁ ୧୩.୯୭ ବିଲିୟନ ଡଲାର ବୋଲି କହିଛି। ଦୁଇ ଦେଶର କାରବାରରେ ଏତେବଡ଼ ପାର୍ଥକ୍ୟକୁ ନେଇ ପ୍ରଶ୍ନ କରାଯିବାରୁ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ କହିଛି, ଭାରତ ଏକ ସାର୍ବଭୌମ ରାଷ୍ଟ୍ର ଏବଂ ଆମଦାନୀ ରପ୍ତାନି ସମ୍ପର୍କିତ ଆମ ସଂଖ୍ୟା ପୂରା ଠିକ୍‌। ବନ୍ଦରଗୁଡ଼ିକ ସମେତ ବିଭିନ୍ନ ସୂତ୍ରରୁ ସଂଗୃହୀତ ତଥ୍ୟ ଭିତ୍ତିରେ ହିସାବ କରାଯାଇଛି। ଅନ୍ୟଦେଶ ସେମାନଙ୍କ ଡେଟା କିଭଳି ଭାବେ ସଂଗ୍ରହ କରୁଛନ୍ତି ତା’ ଉପରେ ନୂଆଦିଲ୍ଲୀ ମନ୍ତବ୍ୟ ଦେବାକୁ ଚାହୁଁନାହିଁ। ଭାରତ ଅନ୍ତର୍ଜାତୀୟ ନିୟମ ଓ ଜାତିସଂଘର ସର୍ତ୍ତାବଳୀ ଅନୁସରଣ କରି ନିର୍ଭୁଲ୍‌ ତଥ୍ୟ ପ୍ରସ୍ତୁତ କରିଥାଏ।

ବାଣିଜ୍ୟ ବିଶେଷଜ୍ଞଙ୍କ ମତରେ ଭାରତୀୟ ଇମ୍ପୋଟର୍ସ ଆମଦାନୀ ଶୁଳ୍କ ଫାଙ୍କିବା ପାଇଁ ୧୨ ବିଲିୟନ ଡଲାର ସାମଗ୍ରୀର କାଗଜପତ୍ର କରାଇ ନାହାନ୍ତି। ଆମଦାନୀବେଳେ ଶିପ୍‌ମେଣ୍ଟର ଇନ୍‌ଭଏସିଂକୁ ପ୍ରକୃତ ପରିମାଣରୁ କମ୍‌ କରି ଦେଖାଇଲେ ଆମଦାନୀ ଶୁଳ୍କ ହ୍ରାସ ହୋଇଥାଏ। ଭାରତର ଟିକସ ବିଭାଗ ଅନେକ ସମୟରେ ଅଣ୍ଡର୍‌-ଇନ୍‌ଭଏସିଂ ମାମଲା ଉପରୁ ପରଦା ହଟାଇଛି। କିନ୍ତୁ ଭାରତ-ଚାଇନା ବଣିଜି୍ୟକ କାରବାରରେ ଅର୍ଥର ପରିମାଣକୁ ନେଇ ଏତେବଡ଼ ବ୍ୟବଧାନ ଆମଦାନୀ ଶୁଳ୍କ ଠକେଇ ବହୁଳଭାବେ ଚାଲିଥିବା ଦର୍ଶାଉଛି। ନୂଆଦିଲ୍ଳୀସ୍ଥିତ ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ପ୍ରଫେସର ବିଶ୍ୱଜିତ ଧର କହିଛନ୍ତି, ସର୍ବାଧିକ ଲାଭ ଉଠାଇବା ପାଇଁ ଟ୍ରେଡର୍ସ ପରିବହନ ସାମଗ୍ରୀ ବିଲ୍‌ରେ ହେର୍‌ଫେର୍‌ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ଯେଉଁ ସମୟରେ ଟାରିଫ୍‌ ଉଚ୍ଚ ରହିଥାଏ ବିଜ୍‌ନେସ୍‌ ଫାର୍ମଗୁଡ଼ିକ ଆମଦାନୀ ସମ୍ପର୍କିତ ବିଲ୍‌କୁ କମ୍‌ କରି ଦେଖାଇଥାନ୍ତି।

Share