Categories: ବାଣିଜ୍ୟ

ଟିଏମ୍‌ସିକୁ ୧୨୦୦କୋଟିର ସହାୟତା

ନୂଆଦିଲ୍ଲୀ,୩।୬: ଆଇସିଆଇସିଆଇ ବ୍ୟାଙ୍କର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଟାଟା ମେମୋରିଆଲ ସେଣ୍ଟର(ଟିଏମ୍‌ସି)କୁ ୧୨୦୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ ଲାଗି ଘୋଷଣା କରାଯାଇଛି। ବିଶେଷ କରି କ୍ୟାନ୍‌ସର ଚିକିତ୍ସା ଓ ଗବେଷଣା କ୍ଷେତ୍ରରେ ଉକ୍ତ ଅର୍ଥ ବିନିଯୋଗ ସହ ୭.୫ ଲକ୍ଷ ବର୍ଗଫୁଟ ଅଞ୍ଚଳରେ ୩ଟି ନୂଆ କୋଠା ସ୍ଥାପନ କରାଯିବ। ସେହିଭଳି ମହାରାଷ୍ଟ୍ରର ନଭି ମୁମ୍ବାଇ, ପଞ୍ଜାବର ମୁଲାନପୁର ଓ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଥିବା ଟିଏମ୍‌ସିକୁ ଅତ୍ୟାଧୁନିକ ମେଶିନ ପ୍ରଦାନ କରିବା ଲାଗି ବ୍ୟାଙ୍କର ସିଏସ୍‌ଆର୍‌ ପାଣ୍ଠିରୁ ଉକ୍ତ ଅର୍ଥରାଶି ପ୍ରଦାନ ସହ ଆଇସିଆଇସିଆଇ ବ୍ୟାଙ୍କର ସିଏସ୍‌ଆର୍‌ ଶାଖା ଆଇସିଆଇସିଆଇ ଫାଉଣ୍ଡେଶନ ଫର୍‌ ଇନ୍‌କ୍ଲୁସିଭ୍‌ ଗ୍ରୋଥ୍‌ (ଆଇସିଆଇସିଆଇ ଫାଉଣ୍ଡେଶନ) ପକ୍ଷରୁ ଉକ୍ତ ଅଭିଯାନକୁ କାର୍ଯ୍ୟକାରୀ କରାଯିବ ଓ ୨୦୨୭ ସୁଦ୍ଧା ଉକ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ମିଳିତ ଆଶା ପ୍ରକଟ କରାଯାଉଛି। ଏପରିକି ଉଭୟ ଆଇସିଆଇସିଆଇ ବ୍ୟାଙ୍କ ଓ ଟିଏମ୍‌ସି ମଧ୍ୟରେ ଏ ନେଇ ଏକ ରାଜିନାମା ହୋଇଥିବା ଜଣାପଡ଼ିଛି। ଆଇସିଆଇସିଆଇ ଫାଉଣ୍ଡେଶନର ସଭାପତି ସଞ୍ଜୟ ଦତ୍ତା ଏବଂ ଟିଏମ୍‌ସିର ନିର୍ଦ୍ଦେଶକ ଡା. ଆର୍‌.ଏ. ବଡ୍‌ୱେ ଉକ୍ତ ରାଜିନାମାରେ ସ୍ବାକ୍ଷର କରିଥିବା ବେଳେ ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଚତୁର୍ବେଦୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସନ୍ଦୀପ ବାତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଅପରପକ୍ଷରେ ମୁମ୍ବାଇର ପରେଲ ସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଆଇସିଆଇସିଆଇ ଏମ୍‌ଆର୍‌ଆଇ ସେଣ୍ଟରକୁ ମଧ୍ୟ ଚତୁର୍ବେଦୀ ଉଦ୍‌ଘାଟନ କରିଥିଲେ।
ଏ ସମ୍ପର୍କରେ ଆଇସିଆଇସିଆଇ ବ୍ୟାଙ୍କର ଅଧ୍ୟକ୍ଷ ଚତୁର୍ବେଦୀ କହିଛନ୍ତି, ଦେଶର ସେବା ପାଇଁ ଆଇସିଆଇସିଆଇ ବ୍ୟାଙ୍କର ଏକ ସୁଦୀର୍ଘ ପରମ୍ପରା ରହିଛି। ସେହି ଦର୍ଶନ ଅନୁସାରେ ଆଇସିଆଇସିଆଇ ଫାଉଣ୍ଡେଶନ ପରିବେଶ ସଂରକ୍ଷଣ, ନିରନ୍ତର ଜୀବନଜୀବିକା ପାଇଁ ଦକ୍ଷତା ବିକାଶ, ସୁଲଭ ସ୍ବାସ୍ଥ୍ୟସେବା ଓ ଗୋଷ୍ଠୀ ବିକାଶ ପ୍ରକଳ୍ପ ଜରିଆରେ ନାଗରିକମାନଙ୍କ ଜୀବନରେ ଉନ୍ନତି ଆଣିବା ଲାଗି ନିରନ୍ତର ଭାବେ କାର୍ଯ୍ୟ କରୁଛି।

Share