Advertisement

ଧରାପଡ଼ିଲେଣି ୧୨, ସ୍କାନରରେ ୬ ଶିକ୍ଷକ

ରାୟଗଡ଼ା,୧୬ା୪(ସ୍ବ.ପ୍ର.): ନକଲି ସାର୍ଟିିଫିକେଟ ଦେଇ ଚାକିରି କରୁଥିବା ୧୨ ଶିକ୍ଷକଙ୍କୁ ରାୟଗଡ଼ା ଜିଲା ଶିକ୍ଷା ବିଭାଗ ଧରିଛି। ସେମାନଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯିବ ବୋଲି ସୂଚନା ମିଳିଛି। ୭ ଜଣଙ୍କୁ ଚାକିରିରୁ ବହିଷ୍କୃତ ମଧ୍ୟ କରାଯାଇଛି। ସେମାନେ ହେଲେ ବାରଙ୍ଗପଦର ବିଦ୍ୟାଳୟ ଶିକ୍ଷକ ତପନ ଚୌଧୁରୀ, ଝିରିଗୁମ୍ମା ବିଦ୍ୟାଳୟ ଶିକ୍ଷକ ଅନୁକୂଳ ପଦ୍ମନାଭ, ଦଣ୍ଡପଡ଼ା ବିଦ୍ୟାଳୟ ଶିକ୍ଷକ ପ୍ରେମାନନ୍ଦ ଗମାଙ୍ଗ, ଶିକ୍ଷକ ପିତବାସ ଶବର, ଡୁମୁରିଯୋଡି ବିଦ୍ୟାଳୟ ଶିକ୍ଷକ ଶମ୍ଭୁ କହଁର, ଶିକ୍ଷକ ରଘୁନାଥ ବିଡିକା ଓ କଦଳିଖୋଲ ବିଦ୍ୟାଳୟ ଶିକ୍ଷକ ସଞ୍ଜୀବ ମାଝୀ । ସେହିପରି ଆଉ ୫ ଜଣ ମଧ୍ୟ ବହିସ୍କୃତ ହେବେ ବୋଲି ଜଣାପଡ଼ିଛି। ୬ ଜଣଙ୍କ ସାର୍ଟିିଫିକେଟ ଯାଞ୍ଚ ପାଇଁ ବିଭିନ୍ନ ବିଶ୍ୱବିଦ୍ୟାଳୟକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। କେବଳ ଏତିକି ନୁହଁନ୍ତି, ଆହୁରି ଶତାଧିକ ଶିକ୍ଷୟିତ୍ର ଶିକ୍ଷକ ନକଲି ସାର୍ଟିିଫିକେଟ ଦେଇ ଚାକିରି କରୁଛନ୍ତି । ଏବେ ଯେଉଁ ୭ ଜଣ ବହିଷ୍‌ୃତ ହୋଇଛନ୍ତି ସେମାନଙ୍କ ସାର୍ଟିଫିକେଟ ରାଜ୍ୟ ବାହାରୁ ଆସିଛି । ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, କଶ୍ମୀର ଆଦିରୁ ସାର୍ଟିଫିକେଟ ଆଣି ଚାକିରି ସମୟରେ ଦାଖଲ କରିଛନ୍ତି। ମୁଖ୍ୟତଃ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ, ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟ, ଗୌହାଟୀ ବିଶ୍ୱବିଦ୍ୟାଳୟ, କୋଲକାତା ବିଶ୍ୱବିଦ୍ୟାଳୟ ନାମରେ ଏହି ସମସ୍ତ ସାର୍ଟିଫିକେଟ ଦାଖଲ ହୋଇଛି। ତେବେ ଯାଞ୍ଚ ସମୟରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ତରଫରୁ ଏଭଳି ସାର୍ଟିଫିକେଟ କାହାକୁ ପ୍ରଦାନ କରାଯାଇ ନଥିବା ସମଗ୍ର ଶିକ୍ଷା କାର୍ଯ୍ୟାଳୟକୁ ଜଣାଯାଇଛି ଇଗ୍ନୋ ନାମରେ ମଧ୍ୟ ନକଲି ସାର୍ଟିଫିକେଟ ଦାଖଲ କରି ଚାକିରି ପାଇଛନ୍ତି। ଏହି ନକଲି ସାର୍ଟିଫିକେଟ ଦାଖଲ କରିଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ନାମରେ ପୋଲିସରେ ମାମଲା ରୁଜୁ କରାଯିବା ସହିତ ସେମାନଙ୍କ ଠାରୁ ସମସ୍ତ ଦରମା ଆଦାୟ କରାଯିବ ବୋଲି ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ ବରିହା କହିଛନ୍ତି। ଜିଲାରେ ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକ ଏଭଳି ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଛନ୍ତି। କାହାର ଡିଗ୍ରୀ ସାର୍ଟିଫିକେଟ ତ ଆଉ କାହାର ବିଏଡ୍‌ ସାର୍ଟିଫିକେଟ ନକଲି ରହିଛି । ପର୍ଯ୍ୟାୟକ୍ରମେ ସେମାନଙ୍କୁ ମଧ୍ୟ ଧରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି । ଜିଲା ଶିକ୍ଷାଧିକାରୀ ଏଥିରେ ବିଳମ୍ବ କରୁଥିବାରୁ ରାଜ୍ୟ ଗଣଶିକ୍ଷା ସଚିବ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଚେତାବନୀ ମଧ୍ୟ ଦେଇଛନ୍ତି । ତୁରନ୍ତ ସମସ୍ତ ନକଲି ସାର୍ଟିଫିକେଟ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ଧରିବା ସହିତ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share