କଲେଜ କର୍ମଚାରୀଙ୍କ ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ,୧୫ା୩(ସନାତନ ରାଉତ): ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି, କର୍ମଚାରୀଙ୍କ ବକେୟା ଦରମା ଦାବିରେ କର୍ମଚାରୀ, ବରପଦା ବିକାଶ ମଞ୍ଚ, ନାଗରିକ ସୁରକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ ଟାରୁ ଆନ୍ଦୋଳନକାରୀମାନେ ଭଦ୍ରକ ବନ୍ତଛକଠାରେ ଗାଡ଼ି ଚଳାଚଳ ବନ୍ଦ କରିବା ସହ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ମାତ୍ର କିଛି ସମୟ ପରେ ପୋଲିସ ପହଞ୍ଚି ଗାଡ଼ି ଚଳାଚଳ ସ୍ବାଭାବିକ କରାଇଥିଲା। ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଦୋଳନ କରିହେବ କିନ୍ତୁ ବନ୍ଦ କରିହେବ ନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା। ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ବନ୍ଦ ପ୍ରତ୍ୟାହୃତ ହୋଇଥିଲା। ଏହାକୁ ନେଇ ଆନ୍ଦୋଳନରତ କର୍ମଚାରୀ ବିଜୟ ରାଉତ କହିଛନ୍ତି କ୍ଷମତାଶାଳୀ ଲୋକଙ୍କ ଦ୍ୱାରା ପରିଚାଳିତ ପୋଲିସ ପ୍ରଶାସନ ଆମକୁ ଆନ୍ଦୋଳନରୁ ଉଠାଇଦେଲା। ଆମର ହକ୍‌ ପାଇବା ପାଇଁ ଆଗକୁ ନବୀନ ନିବାସ ଆଗରେ ଆନ୍ଦୋଳନ କରିବୁ ବୋଲି କହିଥିଲେ। ଆନ୍ଦୋଳନ ସ୍ଥଳରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀ, ସଦର ଏସ୍‌ଡିପିଓ ସୌରଭ ଓତା, ତହସିଲଦାର ସଂଗ୍ରାମ କେଶରୀ ଖୁଣ୍ଟିଆ, ଟାଉନ ଥାନାଧିକାରୀ ବୀରେନ୍ଦ୍ର ସେନାପତିଙ୍କ ସମେତ ପୋଲିସ ଫୋର୍ସ ମୁତୟନ ରହିଥିଲେ।

Share