ମୋବାଇଲ ନେଟୱାର୍କ ଦାବିରେ ୧୨ଘଣ୍ଟିଆ ସମ୍ବଲପୁର-ଦେବଗଡ଼ ଜାତୀୟ ରାଜପଥ ଅବରୋଧ

ଦେବଗଡ,୧।୬(ଡି.ଏନ୍‌.ଏ): ଦେବଗଡ଼ ଜିଲା ସମ୍ବଲପୁର-ଦେବଗଡ଼ ୪୯ନମ୍ବର ଜାତୀୟ ରାଜପଥର କେଳାସ ଛକଠାରେ ବୁଧବାର ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ କରାଯାଇଛି। ଏହି ପ୍ରତିବାଦ ତିଳେଇବଣି ବ୍ଳକ ଲଇମୁରା ଅଞ୍ଚଳ ବିକାଶ ଯୁବ ମଞ୍ଚ ପକ୍ଷରୁ କରାଯାଇଥିବା ବେଳେ ସକାଳ ୬ଟାରୁ ସନ୍ଧ୍ୟା ୬ଟାରେ ଶେଷ ହେବ। ଫଳରେ ରାସ୍ତା ଅବରୋଧ ଯୋଗୁ ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଛି। ସୂଚନାଯୋଗ୍ୟ, ମୋବାଇଲ ନେଟୱାର୍କ ଦାବିରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ଗ୍ରାମାଞ୍ଚଳରେ ନେଟୱାର୍କ ସଂଯୋଗ ନିମନ୍ତେ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ସେମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିକାଶ ଯୁବ ମଞ୍ଚ ଅଭିଯୋଗ କରିଛି। ବାରମ୍ବାର ଦାବି ପରେ ବି ପ୍ରଶାସନ କର୍ଣ୍ଣପାତ କରି ନ ଥିବା ବେଳେ କୌଣସି ପଦକ୍ଷେପ ନେଇ ନ ଥିଲା। ଯାହାଫଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ସକାଳ ୬ଟାରୁ ଦେବଗଡ ଜିଲା ତିଲେଇବଣି ଛକ ନିକଟରେ ଗ୍ରାମବାସୀ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଏହି ଆନ୍ଦୋଳନରେ ୫ଖଣ୍ଡ ପଞ୍ଚାୟତର ଗ୍ରାମବାସୀ ସାମିଲ ହୋଇଛନ୍ତି। ଦେବଗଡ ଜିଲା ତିଲେଇବଣି ବ୍ଲକ ଝରାଗୋଗୁଆ, ପାରପୋଷି, ଝାରମୁଣ୍ଡା, ଡିମିରିକୁଦା, ଗଣ୍ଡମ ଆଦି ପଞ୍ଚାୟତରେ ଏବେ ବି ମୋବାଇଲ ସେବା ଅପହଞ୍ଚ ରହିଛି। ଫଳରେ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।