Advertisement

ଆଜି ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ପାଳନ: ପୀଡ଼ିତାଙ୍କୁ ନ୍ୟାୟ ଦାବି

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ୪୮ ଘଣ୍ଟା ପରେ କୁର୍ଲା ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପୀଡ଼ିତା ଏବେ ମଧ୍ୟ ଭୀମସାର୍‌, ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ଏହି ଘଟଣାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ବରଗଡ଼ ଡାକରା ଦିଆଯାଇଛି।

ଏହି ଘଟଣାରେ ସୋମବାର ବରଗଡ଼ ଜିଲା ଟାଉନ ଥାନା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେଠାରୁ ସେମାନଙ୍କୁ ବରଗଡ଼ ଉପ କାରାଗାରକୁ ପଠାଇ ଦିଆଯାଇଛି। ସେମାନେ ହେଲେ, ବରଗଡ଼ ଜିଲା ବିଜେପୁର ଥାନା ପୁଟକା ଗ୍ରାମର ସର୍ଜନ ଡନସନା(୩୬), ପ୍ରହଲ୍ଲାଦ ଦାଶ(୩୩) ଏବଂ ଜଗଦଲପୁର ଥାନା ଧୁମାଭଟା ଗ୍ରାମର ଜୟକୃଷ୍ଣ ଡନସନା(୪୦)। ଅନ୍ୟପଟେ ପୋଲିସ ଏ ଯାଏ ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ। ଗିରଫ ୩ ଅଭିଯୁକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଫେରାର ହେବାରେ ସହଯୋଗ କରିଥିଲେ ବୋଲି ଅତିରିକ୍ତ ଏସ୍‌ପି ଇନ୍ଦୁରେଖା ପଶ୍ଚିମକବାଟ କହିଛନ୍ତି। ମୁଖ୍ୟ ଅଭିଯୁକ୍ତ ମଧ୍ୟ ଶୀଘ୍ର ଗିରଫ ହେବେ। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଏକାଧିକ ଟିମ୍‌ ରାଜ୍ୟ ତଥା ରାଜ୍ୟ ବାହାରେ ଚଢ଼ାଉ କରୁଛନ୍ତି। ସେହିପରି ପୀଡ଼ିତାଙ୍କୁ ବଳାତ୍କାର କିମ୍ବା ଗଣବଳାତ୍କାର ହୋଇ ନ ଥିବା ନେଇ ଡାକ୍ତର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ପ୍ରକାଶ ଯେ, ଗତ ୧୨ତାରିଖ ବରଗଡ଼ ଧନୁଯାତ୍ରା ମହୋତ୍ସବ ଦେଖିବାକୁ ଆସିଥିବା ସମୟରେ ପୀଡ଼ିତା ଯୁବତୀ ନିଖୋଜ ହୋଇଯାଇଥିଲେ। ଖୋଜାଖୋଜି ସତ୍ତ୍ୱେ କୌଣସି ସନ୍ଧାନ ନ ପାଇବାରୁ ପୀଡ଼ିତାଙ୍କ ପରିବାର ଲୋକେ ପୋଲିସକୁ ଜଣାଇଥିଲେ। କିନ୍ତୁ ପୋଲିସ ମଧ୍ୟ ପୀଡ଼ିତାଙ୍କ ସନ୍ଧାନ ପାଇ ନ ଥିଲା। ସ୍ଥାନୀୟ ଜଣେ ଲୋକଙ୍କ ସୂଚନାକୁ ଆଧାର କରି ଗତ ୧୪ତାରିଖ ପରିବାର ଲୋକେ ପୀଡ଼ିତାଙ୍କୁ ବରଗଡ଼ ସହର ଉପକଣ୍ଠ କୁର୍ଲା ଜଙ୍ଗଲ ମଧ୍ୟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରୁ ଭିମ୍‌ସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଚିକିତ୍ସାଧୀନ ଅଛନ୍ତି। ତେବେ ପୀଡ଼ିତାଙ୍କ ମା’ ଝିଅଙ୍କୁ ଅପହରଣ କରି ନେଇ ବଳାତ୍କାର ଏବଂ ହତ୍ୟା ଉଦ୍ୟମ କରିଥିବା ନେଇ ଏତଲା ଦେବା ପରେ ବରଗଡ଼ ଟାଉନ ଥାନା ପୋଲିସ ମାମଲା ରୁଜୁ କରି ଏହାର ଅଧିକ ତଦନ୍ତ କରୁଛି। ସେହିପରି ଉକ୍ତ ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ସଚେତନ ନାଗରିକ ମଞ୍ଚ ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରା ଦେଇଛି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଜରୁରିକାଳୀନ ସେବା ବ୍ୟତୀତ ସବୁ ବନ୍ଦ କରାଯିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

Share