ରାଶନ ପାଇଁ ଯିବାକୁ ପଡୁଥିଲା ୧୨ କିଲୋମିଟର, ୮ ଦିନରେ ପାହାଡ଼ କାଟି ରାସ୍ତା ତିଆରି କଲେ ୭୦ ଗ୍ରାମବାସୀ…

ରାୟପୁର,୧୯।୧୦ : କୁହାଯାଏ ଅସୁବିଧା ଯୋଗୁ ନୂଆ ଉପାୟ ସମ୍ପର୍କରେ ଚିନ୍ତା କରାଯାଇଥାଏ। ଏହା ସହିତ ଅସୁବିଧାରୁ ମୁକ୍ତି ପାଇଁ ସଫଳ ଉଦ୍ୟମ କରାଯାଇଥାଏ। ଅର୍ଥାତ୍‌ ଅସୁବିଧା ନୂଆ ବାଟ ବତାଇଥାଏ। ଏହାର ସଦ୍ୟତମ ଉଦାହରଣ ଛତିଶଗଡର କୱାର୍ଦ୍ଧା (କବିରଧାମ)ରେ ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ସରକାରୀ ରାଶନ ପାଇଁ ପାହାଡ଼ କାଟି ରାସ୍ତା ତିଆରି କରିଛନ୍ତି। ଗ୍ରାମବାସୀଙ୍କୁ ରାଶନ ଲାଗି ବୁଲି ବୁଲି ୧୨ କିଲୋମିଟର ଯାତ୍ରା କରିବାକୁ ପଡୁଥିଲା। କିନ୍ତୁ ଏବେ ନୂଆ ରାସ୍ତା ଯୋଗୁ ଏହି ଦୂରତା ମାତ୍ର ଦୁଇ କିଲୋମିଟରକୁ ଖସି ଆସିଛି । ବିଶେଷ କଥା ହେଉଛି ଗ୍ରାମବାସୀମାନେ ମିଳିତ ଭାବେ ୩୦ ଫୁଟ ଉଚ୍ଚ ପାହାଡ଼ କାଟି ରାସ୍ତା ନିର୍ମାଣ କରିଛନ୍ତି। ଏହା ପରେ ଚାରୋଟି ଗାଁର ସମସ୍ୟାର ସମାଧାନ ହୋଇଛି ।

ବାହପାନି ର୍ଗାରେ ସରକାରୀ ରାଶନ ଦୋକାନ ରହିଛି। ତେବେ ଏହି ଗାଁ ଡୋଙ୍ଗର ପାହାଡ଼ା ଅପର ପାର୍ଶ୍ୱରେ ଅଛି। କାନଖେରା, ଧରାପାନୀ, ମହାରାଣୀ ଟୋଲା ଏବଂ ଥେଙ୍ଗାଟୋଲା ଗ୍ରାମ ଏହାର ନିମ୍ନ ଅଞ୍ଚଳରେ ଅବସ୍ଥିତ। ରାଶନ ପାଇଁ ଏହି ୪ଟି ଗାଁର ଲୋକଙ୍କୁ ୧୨ କିଲୋମିଟର ଯିବାକୁ ପଡୁଥିଲା। ପେଟ ପାଇଁ ଗ୍ରାମବାସୀମାନେ ଚାଲି ଚାଲି ରାଶନ ଦେକାନରୁ ମୁଣ୍ଡରେ ଖାଦ୍ୟ ସାମଗ୍ରୀ ମୁଣ୍ଡାଇ ଆଣୁଥିଲେ। ଏହି କାରଣରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ।

ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ ଚାରି ଗାଁର ଲୋକମାନେ ନିଜ ମଧ୍ୟରେ ଏକ ସଭା କରିଥିଲେ। ତା’ପରେ କାନଖେରା ଗ୍ରାମକୁ ଲାଗିଥିବା ଡୋଙ୍ଗର ପାହାଡ଼ କାଟି ରାସ୍ତା ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଚାରୋଟି ଗାଁର ୭୦ ଜଣ ଗ୍ରାମବାସୀ କାମ ଆରମ୍ଭ କରିଥିଲେ। ଆଠ ଦିନର କଠିନ ପରିଶ୍ରମ ପରେ ପର୍ବତ କାଟି ଦୁଇ କିଲୋମିଟରର ରାସ୍ତା ନିର୍ମାଣ କରିଥିଲେ। ବର୍ତ୍ତମାନ ନୂଆ ରାସ୍ତାରେ କମ ଦୂର ଯାଇ ବାହାପାନିରୁ ରାଶନ ଆଣିବା ସହଜ ହୋଇଛି ।

 

Share