ଭିଭିଆଇପି ଗଛ ଲାଗି ଖର୍ଚ୍ଚ ୧୨ ଲକ୍ଷ

ଭୋପାଳ,୨୭।୭: ମଧ୍ୟପ୍ରଦେଶ ସରକାର ଦେଶର ପ୍ରଥମ ଭିଭିଆଇପି ଗଛର ଦେଖାଶୁଣା ଲାଗି ବର୍ଷକୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସାଞ୍ଚତ୍ ବୁଦ୍ଧିଷ୍ଟ କମ୍ପ୍ଲେକ୍ସଠାରୁ ୫ କି.ମି. ଦୂରରେ ଅର୍ଥାତ୍‌ ଭୋପାଳ ଓ ବିଦିଶା ଟାଉନ୍‌ର ମଝାମଝି ଅଞ୍ଚଳରେ ଲଗାଯାଇଥିବା ଓସ୍ତ ଗଛକୁ ୨୪ ଘଣ୍ଟା କଡ଼ା ସୁରକ୍ଷା ଭିତରେ ରଖାଯାଉଛି। ପ୍ରତିଦିନ ୪ ଜଣ ସୁରକ୍ଷାକର୍ମୀ ଏହି ଭିଭିଆଇପି ଗଛକୁ ଜଗି ରହୁଛନ୍ତି। ଏହି ଗଛର ଚାରିପାଖକୁ ୧୫ ଫୁଟ୍‌ର ଲୁହା ତାର ବାଡ଼ରେ ଘେରାଯାଇଛି। ଏହାର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କୌଣସି ପର୍ବପର୍ବାଣିରେ ମଧ୍ୟ ଛୁଟି ମିଳୁ ନ ଥିବା ସିକ୍ୟୁରିଟି ଗାର୍ଡ ରାହୁଲ ଧାମନୋଦିଆ କହିଛନ୍ତି। ଗଛକୁ ଜଗିବା କାର୍ଯ୍ୟରେ ନିୟୋଜିତ ଗାର୍ଡଙ୍କୁ ମାସିକ ୨୬,୦୦୦ ଟଙ୍କା ଦରମା ଦିଆଯାଉଛି।

ଗଛରେ ପାଣି ଦେବା ଲାଗି ସାଞ୍ଚତ୍ ମ୍ୟୁନିସିପାଲିଟି ସ୍ବତନ୍ତ୍ର ପାଣି ଟ୍ୟାଙ୍କର୍‌ର ବ୍ୟବସ୍ଥା କରିଛି । ସେହିପରି ଗଛକୁ ରୋଗ ଦାଉରୁ ରକ୍ଷା କରିବା ଲାଗି ପ୍ରତି ସପ୍ତାହରେ କୃଷି ବିଭାଗ ଅଫିସର ସେଠାକୁ ଆସୁଛନ୍ତି। ଜିଲାପାଳଙ୍କ ତତ୍ୱାବଧାନରେ ଭିଭିଆଇପି ଗଛର ରକ୍ଷଣାବେକ୍ଷଣା ପାଇଁ ବର୍ଷକୁ ରାଜ୍ୟ ସରକାରଙ୍କର ୧୨.୪୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ୨୦୧୨ରେ ଶ୍ରୀଲଙ୍କାର ଭୂତପୂର୍ବ ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେ ଏହି ଓସ୍ତ ଗଛକୁ ରୋପଣ କରିଥିଲେ। ଯେଉଁ ଗଛ ମୂଳରେ ବସି ଗୌତମ ବୁଦ୍ଧ ବୋଧିସତ୍ତ୍ୱ ପ୍ରାପ୍ତ କରିଥିଲେ ଏହି ଗଛ ତା’ର ଅଂଶ ବୋଲି ବିଶ୍ୱାସ କରାଯାଉଛି।

ଏହି ବୃକ୍ଷକୁ ରାଜା ଅଶୋକଙ୍କ ଝିଅ ସଂଘମିତ୍ରା ଭାରତରୁ ଶ୍ରୀଲଙ୍କାର ଅନୂରାଧାପୁରମରେ ନେଇ ରୋପଣ କରିଥିବା ବୌଦ୍ଧ ଧର୍ମଗୁରୁ ଚନ୍ଦ୍ରରତନ କହିଛନ୍ତି। ତେବେ ଏହି ଭିଭିଆଇପି ଗଛର ଅଂଶକୁ ସାଞ୍ଚତ୍ ବୁଦ୍ଧ ୟୁନିଭର୍ସିଟିରେ ମଧ୍ୟ ଲଗାଯାଇଛି।

Share