Categories: ଜାତୀୟ

ଉଦ୍ଧବଙ୍କ ହାତ ଛାଡିବାକୁ ପ୍ରସ୍ତୁତ ହେଲେଣି ୧୨ ଏମ୍‌ପି

ମୁମ୍ବାଇ,୭ ।୭: ଶିବସେନାର ୪୦ ବିଧାୟକଙ୍କ ପରେ ଏବେ ଦଳର ୧୨ ଏମ୍‌ପି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି । ଶିନ୍ଦେ ଗ୍ରୁପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୁଲାବରାଓ ପାଟିଲ ଏହି ଦାବି କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ ମଧ୍ୟ ମୁମ୍ବାଇରୁ ଶିବସେନା ଏମ୍‌ପି ରାହୁଲ ଶେୱାଲେ ରାଷ୍ଟ୍ରପତି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ଲାଗି ଉଦ୍ଧବ ଠାକରେଙ୍କୁ ପତ୍ର ଲେଖିଥିଲେ । କିନ୍ତୁ ପ୍ରଥମରୁ ହିଁ ଶିବସେନା ବିରୋଧି ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛି ।
ଶିବସେନାରେ ଉଦ୍ଧବ ଠାକରେଙ୍କ ଆଦେଶକୁ ସର୍ବୋପରି ବୋଲି କୁହାଯାଇଥାଏ । ଏବେ ରାହୁଲ ଶେୱାଲେ ପତ୍ର ଲେଖି ତାଙ୍କ ବିଚାରଧାରା ଶେୟାର କରିଛନ୍ତି । ଏହାଦ୍ୱାରା ଶିବସେନା ଏମପି ଶିନ୍ଦେ ଗ୍ରୁପରେ ସାମିଲ ହେବାକୁ ନେଇ ଚର୍ଚ୍ଚାର ଖୋରାକ ମିଳିଯାଇଛି । ଗୁଲାବ ରାଓ ପାଟିଲ ଦାବି କରିଛନ୍ତି, ଏବେ ୫୫ରୁ ୪୦ ବିଧାୟକଙ୍କ ବ୍ୟତୀତ ୨୨ ପୂର୍ବତନ ବିଧାୟକ ବି ଆମ ସହ ରହିଛନ୍ତି । ପାଟିଲ କହିଛନ୍ତି ଶିନ୍ଦେ ଗ୍ରୁପ ହେଉଛି ଅସଲ ଶିବସେନା ଓ ଶିନ୍ଦେ ଗ୍ରୁପ ପୁଣିଥରେ ଶିବସେନାର ସମ୍ମାନକୁ ବଜାୟ ରଖିବ ।

Share