Categories: ଜାତୀୟ

୧୨% ରାଜ୍ୟ ସଭା ସଦସ୍ୟ ବିଲିଅନେୟାର

ନୂଆଦିଲ୍ଲୀ,୧୯ା୮: ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୧୨ ପ୍ରତିଶତ ବିଲିଅନେୟାର (ସମ୍ପତ୍ତି ପରିମାଣ ୧୦୦ କୋଟି ଟଙ୍କାରୁ ଅଧିକ)। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନାରେ ବିଲିଅନେୟାର ଏମ୍‌ପିଙ୍କ ହାର ଅଧିକ ବୋଲି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ ସଭାର ୨୩୩ ସଦସ୍ୟଙ୍କ ମଧ୍ୟରୁ ୨୨୫ ଜଣଙ୍କ ଅପରାଧ ରେକର୍ଡ, ଆର୍ଥତ୍କ ସ୍ଥିତି ଏବଂ ଅନ୍ୟାନ୍ୟ ପୃଷ୍ଠଭୂମିକୁ ଏଡିଆର୍‌ ଏବଂ ନ୍ୟାଶନାଲ ଇଲେକ୍ସନ ଓ୍ବାଚ୍‌ (ଏନ୍‌ଇଡବ୍ଲ୍ୟୁ) ବିଶ୍ଳେଷଣ କରିଛନ୍ତି। ଆନ୍ଧ୍ରପ୍ରଦେଶର ୧୧ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୫ ଜଣ (୪୫%) ଏବଂ ତେଲଙ୍ଗାନାର ୭ ଏମ୍‌ପିଙ୍କ ମଧ୍ୟରୁ ୩ (୪୩%)ଙ୍କ ସମ୍ପତ୍ତି ୧୦୦ କୋଟି ଟଙ୍କାରୁ ଅଧିକ ବୋଲି ସେମାନେ ଘୋଷଣା କରିଛନ୍ତି। ସେହିପରି ମହାରାଷ୍ଟ୍ରର ୧୯ ଏମ୍‌ପିଙ୍କ ମଧ୍ୟରୁ ୩ (୧୬%), ଦିଲ୍ଲୀର ୩ ଏମ୍‌ପିଙ୍କ ମଧ୍ୟରୁ ଜଣେ (୩୩%), ପଞ୍ଜାବର ୭ ଏମ୍‌ପିଙ୍କ ମଧ୍ୟରୁ ୨ଜଣ (୨୯%), ହରିୟାଣାର ୫ ଏମ୍‌ପିଙ୍କ ମଧ୍ୟରୁ ଜଣେ (୨୦%) ଏବଂ ମଧ୍ୟପ୍ରଦେଶର ୧୧ ଏମ୍‌ପିଙ୍କ ମଧ୍ୟରୁ ୨ ଜଣ (୧୮%) ବିଲିଅନେୟାର। ତେଲଙ୍ଗାନାର ୭ ରାଜ୍ୟ ସଭା ସଦସ୍ୟଙ୍କ ମୋଟ ସମ୍ପତ୍ତି ୫,୫୯୬ କୋଟି ଟଙ୍କା ହୋଇଥିବାବେଳେ ଆନ୍ଧ୍ରପ୍ରଦେଶର ୧୧ ଏମ୍‌ପିଙ୍କ ମୋଟ ସମ୍ପତ୍ତି ୩,୮୨୩ କୋଟି ଏବଂ ଉତ୍ତରପ୍ରଦେଶର ୩୦ ଏମ୍‌ପିଙ୍କ ସମ୍ପତ୍ତି ୧,୯୪୧ କୋଟି ଟଙ୍କା ବୋଲି ଜଣାପଡ଼ିଛି।
୨୨୫ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୭୫ ଜଣ (୩୩%) ସେମାନଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କରେ ଘୋଷଣା କରିଛନ୍ତି। ୪୧ ଏମ୍‌ପି (୧୮%)ଙ୍କ ବିରୋଧରେ ଗୁରୁତର ଅପରାଧ ଥିବାବେଳେ ୨ ଜଣଙ୍କ ବିରୋଧରେ ହତ୍ୟା ମାମଲା ରହିଛି। ୪ ଏମ୍‌ପିଙ୍କ ନାଁରେ ମହିଳା ବିରୋଧୀ ଅପରାଧ ମାମଲା ଥିବାବେଳେ ସେମାନଙ୍କ ମଧ୍ୟରୁ କଂଗ୍ରେସ ଏମ୍‌ପି କେ.ସି. ବେଣୁଗୋପାଳଙ୍କ ବିରୋଧରେ ବଳତ୍କାର ମାମଲା ଥିବା ସେ ଘୋଷଣା କରିଛନ୍ତି। ଭାଜପାର ୮୫ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୨୩ (୨୭%), କଂଗ୍ରେସର ୩୦ ଏମ୍‌ପିଙ୍କ ମଧ୍ୟରୁ ୧୨ (୩୦%), ଏଆଇଟିସିର ୧୩ ଏମ୍‌ପିଙ୍କ ମଧ୍ୟରୁ ୪ (୩୧%), ଆର୍‌ଜେଡିର ୬ ଏମ୍‌ପିଙ୍କ ମଧ୍ୟରୁ ୫ (୮୩%), ସିପିଆଇ(ଏମ୍‌)ର ୫ ଏମ୍‌ପିଙ୍କ ମଧ୍ୟରୁ ୪ (୮୦%), ଏଏପିର ୧୦ ଏମ୍‌ପିଙ୍କ ମଧ୍ୟରୁ ୩ (୩୦%), ଓ୍ବାଇଏସ୍‌ଆର୍‌ସିପିର ୯ ଏମ୍‌ପିଙ୍କ ମଧ୍ୟରୁ ୩ (୩୩%) ଏବଂ ଏନ୍‌ସିପିର ୩ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୨ (୬୭%)ଙ୍କ ନାଁରେ ଆପରାଧିକ ମାମଲା ଥିବା ସେମାନେ ସତ୍ୟପାଠରେ ଘୋଷଣା କରିଛନ୍ତି।

Share