ଜଗିବେ ୧୨ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର,୮।୩(ସୂର୍ଯ୍ୟକାନ୍ତ ବେହେରା): ମହାଶିବରାତ୍ରୀରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଶ୍ରଦ୍ଧାଳୁମାନେ କିପରି ଶାନ୍ତିଶୃଙ୍ଖଳାରେ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଡିସିପି ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ ଜଣ ଅତିରିକ୍ତ ଡିସିପି, ୧୪ ଜଣ ଏସିପି, ୨୧ଜଣ ଇନ୍ସପେକ୍ଟର, ୮୪ ଜଣ ଏସ୍‌ଆଇ/ଏଏସ୍‌ଆଇ, ୪୫ ଜଣ ଏପିଆର୍‌ କନଷ୍ଟେବଳ, ୪୮ ଜଣ ଓଆର୍‌ ପୋଲିସ କର୍ମଚାରୀ, ୯୩ ସେକ୍ସନ ଫୋର୍ସ ସମେତ ୧୧୨ଜଣ ଗୃହରକ୍ଷୀ ବାହିନୀଙ୍କୁ ମୁତୟନ କରାଯାଇଛି। ସେହିପରି ଓଡ୍ରାଫ, ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହିବେ। ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ ସମସ୍ତ ଜାଗାରେ ସିସିଟିଭି ଲଗାଯାଇଥିବା ବେଳେ ସାଧା ପୋଷାକଧାରୀ ଅଧିକାରୀମାନେ କଣ୍ଟ୍ରୋଲ ରୁମ୍‌ରେ ସଜାଗ ରହିବେ। ଗୁରୁବାର ପୋଲିସ କମିଶନର ସଞ୍ଜୀବ ପଣ୍ଡା ଏବଂ ଡିସିପି ପ୍ରତୀକ ସିଂ ଘଟଣାସ୍ଥଳକୁ ଯାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି। ବିଏମ୍‌ସି ନିଓ ମାର୍କେଟ କମ୍ପ୍ଲେକ୍ସରେ ପାର୍କିଂ ନଂ-୧ରେ ବସ୍‌, କମ୍ପ୍ଲେକ୍ସର ଉତ୍ତରରେ ଥିବା ୨ନମ୍ବର ପାର୍କିଂରେ କାର ରଖିହେବ। ସେହିଭଳି ଅନନ୍ତ ବାସୁଦେବ ମନ୍ଦିର ପାଖରେ ହୋଇଥିବା ୩ ନମ୍ବର ପାର୍କିଂ ସ୍ଥଳରେ ୩ ଚକିଆ ଯାନ, ସାନିଟୋରିୟମ ଛକରେ ଥିବା ୪ ନମ୍ବର ପାର୍କିଂରେ ସମସ୍ତ ପ୍ରକାର ଯାନ ରଖିବାର ବ୍ୟବସ୍ଥା ହୋଇଛି। ସରକାରୀ ଗାଡ଼ିଗୁଡ଼ିକ ବିଏମ୍‌ସି ହସ୍ପିଟାଲର ଉତ୍ତର ଦିଗ, ପାପଣାସିନି ପୋଖରୀ ଏବଂ ଏସ୍‌ଏମ୍‌ ସ୍କୁଲର ଉତ୍ତର ଦିଗରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଅପରପକ୍ଷେ କେଉଁ ଗାଡ଼ି କେଉଁ ରାସ୍ତା ଦେଇ ଚଳାଚଳ କରିବେ ସେ ନେଇ ମଧ୍ୟ କଟକଣା ଜାର ସହ ବ୍ୟବସ୍ଥା ହୋଇଛି।

Share