ଓସ୍କାର ବିଜୟୀ କେଭିନ୍‌ଙ୍କ ବିରୋଧରେ ୧୨ ଯୌନ ନିର୍ଯାତନା ମାମଲା

ଲଣ୍ଡନ,୨୯।୬: ହଲିଉଡ୍‌ରର ଜଣାଶୁଣା ଅଭିନେତା କେଭିନ୍‌ ସ୍ପେସିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ନେଇ ଲଣ୍ଡନର ସାଉଥ୍‌ଓ୍ବର୍କ କ୍ରାଉନ୍‌ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ବୁଧବାର ସକାଳ ୯ଟାବେଳେ କେଭିନ୍‌ (୬୩) ଏକ କଳା ରଙ୍ଗର ଟାକ୍ସିରେ କୋର୍ଟରେ ପହଞ୍ଚତ୍ଥିଲେ। ଟାକ୍ସିରୁ ବାହାରି କୋର୍ଟ ଅଭିମୁଖେ ଯିବା ସମୟରେ ସାମ୍ନାକୁ ଆସୁଥିବା ବ୍ୟକ୍ତିଙ୍କୁ କେଭିନ୍‌ ଗୁଡ୍‌ ମର୍ନିଂ କହି କୋର୍ଟ ରୁମ୍‌କୁ ପ୍ରବେଶ କରିଥିଲେ। ଏହି ଯୌନ ନିର୍ଯାତନା ମାମଲାର ଶୁଣାଣି ଆଗାମୀ ୪ ସପ୍ତାହ ଧରି ଚାଲିବ। ୮ ଯୌନ ନିର୍ଯାତନା ମାମଲା, ୩ ଅଶ୍ଳୀଳ ଇଙ୍ଗିତ ସହିତ ଜଣେ ବ୍ୟକ୍ତିଙ୍କ ସହ ଅନୈତିକ ଶାରୀରିକ ସମ୍ପର୍କ ସ୍ଥାପନ କରିବା ନେଇ କେଭିନ୍‌ଙ୍କ ବିରୋଧରେ ମୋଟ ୧୨ଟି ମାମଲା ରହିଛି। ଏଥି ମଧ୍ୟରୁ ୨୦୦୧ରୁ ୨୦୦୪ ଭିତରେ ୪ଟି ଏବଂ ୨୦୦୫ରୁ ୨୦୧୦ ମଧ୍ୟରେ ୫ ମାମଲା କେଭିନ୍‌ଙ୍କ ନାଁରେ ହୋଇଛି। କେଭିନ୍‌ଙ୍କ ମତରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଏବଂ ସେ ନିର୍ଦ୍ଦୋଷ।
କେଭିନ୍‌ଙ୍କ ବିରୋଧରେ ଥିବା ୫ ନିର୍ଯାତନା ମାମଲାର ଶୁଣାଣି କରାଯାଇଥିଲା। ତାଙ୍କ ଓକିଲ ଗିବ୍‌ସ କେ.ସି.ଙ୍କ ସହାୟତାରେ କେଭିନ୍‌ଙ୍କୁ ବିନା ସର୍ତ୍ତରେ ଜାମିନ୍‌ ମିଳିଯାଇଥିଲା। ଯେଉଁଥି ପାଇଁ କେଭିନ୍‌ ବିନା ଅବାଧରେ ଯେ କୌଣସି ସ୍ଥାନକୁ ଯାଇପାରୁ ଥିଲେ। ୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ମି ଠୁ ମୁଭ୍‌ମେଣ୍ଟ କେଭିନ୍‌ଙ୍କ ଅଭିନୟ କ୍ୟାରିୟରରେ ବଡ଼ ବିପଦ ସୃଷ୍ଟି କରିଥିଲା। ହଲିଉଡ୍‌ର ଐତିହାସିକ ଡ୍ରାମା ଫିଲ୍ମ ‘୧୨୪୨ ଗେଟ୍‌ଓ୍ବେ ଟୁ ଦି ଓ୍ବେଷ୍ଟ’ରୁ କେଭିନ୍‌ଙ୍କୁ ହଟାଇ ଦିଆଯାଇଥିଲା। ଯୌନ ନିର୍ଯାତନା ମାମଲା ପାଇଁ କେଭିନ୍‌ଙ୍କୁ ଆହୁରି ଅନେକ ପ୍ରୋଜେକ୍ଟରୁ ବାହାର କରାଯାଇଛି। ନିକଟରେ ଜେଟ୍‌ ମାଗାଜିନ୍‌କୁ ଦେଇଥିବା ଏକ ସାକ୍ଷାତ୍‌କାରରେ କେଭିନ୍‌ କହିଛନ୍ତି, କୋର୍ଟରେ ନିର୍ଦ୍ଦୋଷ ପ୍ରମାଣିତ ହେବା ପରେ ପୁଣିଥରେ କାମ ଆରମ୍ଭ କରିଦେବେ। ଇଣ୍ଡଷ୍ଟ୍ରିରେ ଏବେ ବି ଅନେକ ଲୋକ ଅଛନ୍ତି, ଯେଉଁମାନେ ତାଙ୍କୁ କାମ ଦେବାକୁ ଅନାଇ ବସିଛନ୍ତି।

Share