ମାସକରେ ୧୨ ସୈନିକଙ୍କ ମୃତ୍ୟୁ: ଚିନ୍ତାରେ ଆମେରିକା, ହେଲିକପ୍ଟର ଦୁର୍ଘଟଣା ପରେ ଆଭିଏଶନ ୟୁନିଟ ସସପେଣ୍ଡ..

ଓ୍ବାଶିଂଟନ,୩୦।୪ : ଆମେରିକା ସେନା ଏହାର ସମସ୍ତ ବିମାନ ଚଳାଚଳ ୟୁନିଟକୁ ଗ୍ରାଉଣ୍ଡ କରିଛି। ଗୋଟିଏ ମାସରେ ୧୨ ଜଣ ସୈନିକଙ୍କର ମୃତ୍ୟୁ ହୋଇଛି। ମାର୍ଚ୍ଚରେ ବ୍ଲାକ ହକ ଏବଂ ପରେ ଆପାଚେ ହେଲିକପ୍ଟର ଦୁର୍ଘଟଣା ପରେ ପ୍ରତିରକ୍ଷା ବିଭାଗ ଚିନ୍ତାରେ ପଡ଼ିଛି। ଗତ ମାସରେ ଆଲାସ୍କା ଏବଂ କେଣ୍ଟୁକିରେ ହେଲିକପ୍ଟର ଦୁର୍ଘଟଣାରେ ସୈନିକଙ୍କ ମୃତ୍ୟୁ ଘଟୀଥିଲା। ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୈନିକମାନେ ଟ୍ରେନିଂ ନେଉଥିଲେ। ତୁରନ୍ତ ପ୍ରଭାବ ସହିତ ହେଲିକପ୍ଟର ୟୁନିଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ହେଉଛି ଏଏଚ-୬୪ଆପାଚେ ଆକ୍ରମଣ ହେଲିକପ୍ଟର, ଯାହା ଭାରତୀୟ ସେନାରେ ମଧ୍ୟ କାର୍ଯ୍ୟ କରୁଛି।
ଆମେରିକାର ସେନାର ମୁଖପାତ୍ର ଥିବା ଲ୍ୟୁଟନାଟ କର୍ନେଲ ଟେରେନ୍ସ କେଲି କହିଛନ୍ତି , ଟ୍ରେନିଂ ଶେଷ ନ ହେବା ପର୍ଯ୍ୟନ୍ତ ୟୁନିଟ ଗୁଡିକୁ ଗ୍ରାଉଣ୍ଡ କରାଯାଉଛି। ସକ୍ରିୟ ଡ୍ୟୁଟି ୟୁନିଟ ପାଇଁ ତାଲିମ ମେ ୧ ରୁ ମେ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ନ୍ୟାଶନାଲ ଗାର୍ଡ ଏବଂ ରିଜର୍ଭ ୟୁନିଟ ଗୁଡିକ ବର୍ତ୍ତମାନ ତାଲିମ ଶେଷ କରିବାକୁ ମେ ୩୧ପର୍ଯ୍ୟନ୍ତ ସମୟ ପାଇବେ । ସେନା ପକ୍ଷରୁ କୁହାଯାଇଛି , ଗୁରୁତ୍ୱପୂର୍ଣ୍ଣ ମିଶନରେ ଅଂଶଗ୍ରହଣ କରୁଥିବା ସୈନିକମାନଙ୍କ ବ୍ୟତୀତ ଅନ୍ୟ ସୈନିକମାନେ ତାଲିମ ଶେଷ ନ କରିବା ପର୍ଯ୍ୟନ୍ତ ସେନାର ସମସ୍ତ ପାଇଲଟମାନଙ୍କୁ ବିମାନ ଚଳାଚଳ କରିବାକୁ ବାରଣ କରାଯାଇଛି।

Share