ଭୁବନେଶ୍ୱର, ୧୯।୮ (ଅନୁରାଧା ମହାରଣା): ରାଖୀପୂର୍ଣ୍ଣିମାକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଥିବାବେଳେ ରାଖୀ ଚୟନରେ ଲୋକଙ୍କ ପସନ୍ଦ ବଦଳିଛି। ଚଳିତ ବର୍ଷ ଚାଇନା ରାଖୀ ବିକ୍ରୟ ଅନେକାଂଶରେ କମ୍ ହୋଇଥିବାବେଳେ ସ୍ବଦେଶ ରାଖୀ ପ୍ରତି ଗ୍ରାହକଙ୍କ ରୁଚି ବଢ଼ିଛି। ଚଳିତ ବର୍ଷ ରାଖୀ ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟବସାୟ ହେବା ନେଇ ଆକଳନ କରାଯାଇଛି। ବ୍ୟବସାୟୀଙ୍କ ସର୍ବୋଚ୍ଚ ସଂଗଠନ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ ମିଳିଥିତ୍ବା ସୂଚନାନୁସାରେ, ରାଖୀ ପର୍ବରେ ଚଳିତ ବର୍ଷ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି। ଗତ କିଛି ବର୍ଷ ଧରି ଦେଶରେ ସ୍ବଦେଶୀ ରାଖୀର ଚାହିଦା ବଢ଼ିଛି। ଚଳିତ ବର୍ଷ ଚାଇନାରେ ପ୍ରସ୍ତୁତ ରାଖୀ ପ୍ରତି ଲୋକଙ୍କ ବିଶେଷ ଆଗ୍ରହ ନାହିଁ। ସିଏଆଇଟିର ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ, ରାଖୀ ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୧୨ ହଜାର କୋଟି ଟଙ୍କାର ବ୍ୟବସାୟ ହୋଇପାରିବ। ଗତ ବର୍ଷ ଏହି ସଂଖ୍ୟା ପ୍ରାୟ ୧୦ ହଜାର କୋଟି ଟଙ୍କା ଥିଲା। କ୍ୟାଟ ଜାତୀୟ ସଭାପତି ବିସି ଭାରତୀ କହିଛନ୍ତି ଯେ ଚଳିତ ବର୍ଷ ଦେଶର ବିଭିନ୍ନ ସହରର ପ୍ରସିଦ୍ଧ ଉତ୍ପାଦରୁ ସ୍ବତନ୍ତ୍ର ପ୍ରକାରର ରାଖୀ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏଥିମଧ୍ୟରେ ନାଗପୁରରେ ତିଆରି ଖାଡି ରାଖୀ, ଜୟପୁରର ସାଙ୍ଗେନେରୀ କଳା ରାଖୀ, ପୁଣେର ବୀଜ ରାଖୀ, ମଧ୍ୟପ୍ରଦେଶର ସତ୍ୟନାରେ ଊନୀ ରାଖୀ, ଆଦିବାସୀ ସାମଗ୍ରୀରେ ତିଆରି ବାଉଁଶ ରାଖୀ, ଆସାମର ଚା ପତ୍ର ରାଖୀ, କୋଲକାତାର ଝୋଟ ରାଖୀ, ମୁମ୍ବାଇର ରେଶମ ରାଖୀ, ଏଥିମଧ୍ୟରେ କେରଳର ଖଜୁରି ରାଖୀ, କାନପୁରର ମୋତି ରାଖୀ, ମଧୁବାଣୀ ଏବଂ ବିହାରର ମୈଥିଳୀ କଳା ରାଖୀ, ପଣ୍ଡିଚେରୀର ସଫ୍ଟ ଷ୍ଟୋନ ରାଖୀ, ବାଙ୍ଗାଲୋରର ଫୁଲ ରାଖୀ ଇତ୍ୟାଦି ରହିଛି। ଏହା ବ୍ୟତୀତ ତ୍ରିରଙ୍ଗା ରାଖୀ, ବସୁଧୈବ କୁଟୁମ୍ବକମ ରାଖୀ, ଭାରତ ମାତା ରାଖୀ ଇତ୍ୟାଦିର ମଧ୍ୟ ଚାହିଦା ରହିଛି।