୧୨ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ପ୍ରଚଣ୍ଡ

କାଠମାଣ୍ଡୁ,୬ା୭(ପି.ଟି.): ନେପାଳର ମେଣ୍ଟ ସରକାରରୁ ୨ ବଡ଼ ମେଣ୍ଟ ସହଯୋଗୀ ଓହରିଯିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସଙ୍କଟରେ ପଡ଼ିଛନ୍ତି। ଆସନ୍ତା ୧୨ ତାରିଖରେ ସେ ପ୍ରତିନିଧି ସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ବୋଲି ଘୋଷଣା କରିଛନ୍ତି। ଆସ୍ଥା ଭୋଟ ପାଇଁ ବ୍ୟବସ୍ଥା କରିବାକୁ ପ୍ରଚଣ୍ଡ ପାର୍ଲାମେଣ୍ଟ ସଚିବାଳୟକୁ ପତ୍ର ଲେଖି ଜଣାଇଛନ୍ତି। ନେପାଳ ସମ୍ବିଧାନର ଅନୁଚ୍ଛେଦ ୧୦୦(୨) ଅନୁଯାୟୀ ଶାସକ ଦଳରେ ବିଭାଜନ ଘଟିଲେ କିମ୍ବା ମେଣ୍ଟ ସରକାରରୁ କୌଣସି ରାଜନୈତିକ ଦଳ ସମର୍ଥନ ପ୍ରତ୍ୟାହାର କଲେ ପ୍ରଧାନମନ୍ତ୍ରୀଙ୍କୁ ୧୩ ଦିନ ମଧ୍ୟରେ ପ୍ରତିନିଧି ସଭାରେ ଆସ୍ଥା ଭୋଟ ଲୋଡ଼ିବାକୁ ପଡ଼ିଥାଏ। ମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର ପାଇଁ ଶେର୍‌ ବାହାଦୁର ଦେଉବାଙ୍କ ନେପାଳୀ କଂଗ୍ରେସ ଏବଂ କେ.ପି. ଶର୍ମା ଓଲିଙ୍କ ସିପିଏନ୍‌-ୟୁଏମ୍‌ଏଲ୍‌ ମଧ୍ୟରେ ସୋମବାର ରାତିରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଉଭୟ ଦଳର ୮ ଜଣ ମନ୍ତ୍ରୀଙ୍କ ଇସ୍ତଫା ସତ୍ତ୍ୱେ ପ୍ରଚଣ୍ଡ ଇସ୍ତଫା ନ ଦେଇ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି କହିଥିଲେ।

Share