ଚାଲାଣ ପାଇଁ ୧୨ ଶ୍ରମିକଙ୍କୁ ଲୁଚାଇ ରଖିଥିଲେ ଦଲାଲ: ମାଡ଼ିବସିଲା ପୋଲିସ

ଲାଠୋର,୨୮।୧୦(ଭୁବନେଶ୍ୱର ବାରିକ): ଲାଠୋର ପୋଲିସ ସୋମବାର ସନ୍ଧ୍ୟାରେ ଲାଠୋର ଗ୍ରାମର ଏକ ପରିତ୍ୟକ୍ତ ଘରୁ ୧୨ ଜଣ ଦାଦନ ଶ୍ରମିକ ଓ ଜଣେ ଶିଶୁଙ୍କୁ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଏହି ଶ୍ରମିକମାନେ ବରଗଡ଼ ଜିଲା ଗାଇସିଲେଟ ଥାନା ଅନ୍ତର୍ଗତ ଗିଦମାଲ ଗ୍ରାମର। ସେମାନଙ୍କ ମଧ୍ୟରେ ୬ଜଣ ପୁରୁଷ ବିଷ୍ଣୁ ସାହୁ, ବଳରାମ ସାହୁ, ଶ୍ୟାମ ସାହୁ, ପଦ୍ମନ ସାହୁ ବ୍ରହ୍ମା ସାହୁ, ଓଁକାର ସାହୁ ଏବଂ ୬ ଜଣ ମହିଳା ସନ୍ତୋଷିନୀ ସାହୁ, ହେମଲତା ସାହୁ, ଲବଙ୍ଗ ସାହୁ, ବାସନ୍ତି ସାହୁ, ମମତା ସାହୁ, ଜାହ୍ନବୀ ସାହୁ। ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ସମ୍ପୃକ୍ତ ଦଲାଲ ଜଣକ ଏକ ପରିତ୍ୟକ୍ତ ଘରେ ଲୁଚାଇ ରଖିଥିବା ପୋଲିସ ଖବର ପାଇଥିଲା।

ପରେ ପୋଲିସ ଚଢାଉ କରି ଶ୍ରମିକ ଓ ସେମାନଙ୍କ ସହ ଥିବା ଜଣେ ଶିଶୁଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରାଉଚରା କରିଥିଲା । ଏ ନେଇ ପୋଲିସ ଏକ ମାମଲା(ନଂ ୨୩୫/୨୪) ରୁଜୁ କରି ଦୁଇ ଜଣ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରୁଛି  । ଦଲାଲ ଦୁଇଜଣଙ୍କ ମଧ୍ୟରେ ଜଣକ ଘର ଧଣ୍ଡାମୁଣ୍ଡ କଟାପାଲି ଗ୍ରାମରେ ହୋଇଥିବା ବେଳେ ଅନ୍ୟ ଜଣକ ଘର ଲାଠୋର ଗ୍ରାମରେ। ପୋଲିସ ଘଟଣାର ତଦନ୍ତ କରୁଥିବା ତଦନ୍ତ ଅଧିକାରୀ ଦେବାର୍ଚ୍ଚନ ମିର୍ଦ୍ଧା ପ୍ରକାଶ କରିଛନ୍ତି ।

Share