Categories: ଜାତୀୟ

ରିପୋର୍ଟିଂ କରି ସ୍କୁଲର ସମସ୍ୟା ଦେଖାଇଲେ ୧୨ବର୍ଷୀୟ ଛାତ୍ର: ଭିଡିଓ ଭାଇରାଲ

ରାଞ୍ଚି,୫।୮: ଝାଡ଼ଖଣ୍ଡର ଗୋଡ୍ଡା ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୧୨ବର୍ଷୀୟ ଛାତ୍ର ସାମ୍ବାଦିକ ହୋଇ ବିଦ୍ୟାଳୟର ସମସ୍ୟାକୁ ସମସ୍ତଙ୍କ ସମ୍ମୁଖକୁ ଆଣିବାକୁ ପ୍ରୟାସ କରିଛନ୍ତି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ହେଉଛି ଗୋଡ୍ଡା ସ୍ଥିତ ମହାଗାମାର ଭିଖିଆଚକ ପ୍ରାଥମିକ ବିଦ୍ୟାଳୟର। ସୂଚନାଯୋଗ୍ୟ, ଉକ୍ତ ସ୍କୁଲରେ ପଢ଼ୁଥିବା ୧୨ବର୍ଷୀୟ ଛାତ୍ର ଶରଫରାଜ ତାଙ୍କ ହାତରେ ଏକ ପ୍ଲାଷ୍ଟିକ ବୋତଲରେ ତିଆରି ହୋଇଥିବା ମାଇକ୍‌ ଧରି ରିପୋର୍ଟିଂ କରୁଥିବାର ନଜର ଆସିଛନ୍ତି। ଉକ୍ତ ଭିଡିଓରେ ସେ ଗାଁର ନବୀକରଣ ହୋଇଥିବା ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖାଇଛନ୍ତି। ବର୍ତ୍ତମାନ ସ୍କୁଲର ଶିକ୍ଷକମାନେ ବିଦ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ଦେଖନ୍ତୁ କିଭଳି ସ୍କୁଲ ପରିସରରେ ବଡ଼ ବଡ଼ ଗଛ ହୋଇଯିବା ସହ ଘାସବୁଦାମାନ ହୋଇଯାଇଛି। ଉକ୍ତ ସ୍କୁଲରେ ପାନୀୟ ଜଳ କିମ୍ବା ସ୍ବଚ୍ଛ ଶୌଚାଳୟର ବ୍ୟବସ୍ଥା ନାହିଁ। ଏତଦ୍‌ବ୍ୟତୀତ ପିଲାମାନଙ୍କର ଶ୍ରେଣୀଗୃହରେ ଗୋଖାଦ୍ୟ ରଖାଯାଇଛି। ଏଥିସହ ନିଜ ସହଯୋଗୀଙ୍କୁ ଠାରୁ ସେ ସ୍କୁଲ ସମସ୍ୟା ଉପରେ ପ୍ରତିକ୍ରିୟା ନେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓ ଏବେ ବେଶ୍‌ ଭାଇରାଲ ହୋଇଥିବା ବେଳେ ଏହାକୁ ଦେଖି ସ୍କୁଲର ଶିକ୍ଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ଶରଫରାଜଙ୍କ ଘରକୁ ଯାଇ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି।

 

 

Share