Categories: ଜାତୀୟ

ଦୀର୍ଘ ୫ଘଣ୍ଟା ପରେ ୬୦ ଫୁଟ୍‌ ବୋର୍‌ଓ୍ବେଲ୍‌ରୁ ଉଦ୍ଧାର ହେଲେ ୧୨ ବର୍ଷର ଝିଅ

ଗାନ୍ଧୀନଗର,୩୦।୭: ଗୁଜରାଟ ସୁରେନ୍ଦ୍ରନଗର ଜିଲାର ଗଜନଭାଭ ଗ୍ରାମରେ ଜଣେ ୧୨ ବର୍ଷୀୟା ନାବାଳିକା ମନୀଷା ଶୁକ୍ରବାର ସକାଳେ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିଲେ। ତେବେ ଦୀର୍ଘ ୫ଘଣ୍ଟାର ଅକ୍ଲାନ୍ତ ଉଦ୍ୟମ ପରେ ତାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକାଙ୍କୁ ଉଦ୍ଧାର କରାଯିବା ମାତ୍ରେ ସଙ୍ଗେ ସଙ୍ଗେ ସେନା ହସ୍ପିଟାଲ ଟିମ୍‌ ତାଙ୍କୁ ଅକ୍ସିଜେନ ଲଗାଇ ଧରଙ୍ଗଧର ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ଭଲ ରହିଛି ବୋଲି ଡିଏସ୍‌ପି ଜେ.ଡି. ପୁରୋହିତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ୫୦୦ରୁ ୭୦୦ଫୁଟ୍‌ ଗଭୀର ଏକ ବୋରଓ୍ବେଲରେ ନାବାଳିକା ଜଣଙ୍କ ୬୦ ପୁଟ୍‌ ତଳକୁ ଖସିପଡ଼ିଥିଲେ। ଖବର ପାଇ ଘଟଣାସ୍ଥଳରେ ଆର୍ମି ଯବାନ, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏଥିସହ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଏବଂ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଥିଲେ। ତେବେ ଉଦ୍ଧାର କାର୍ଯ୍ୟ ସମୟରେ ଝିଅଙ୍କୁ ଅକ୍ସିଜେନ ଯୋଗାଯିବା ସହ କ୍ୟାମେରା ଦ୍ୱାରା ତାଙ୍କ ଅବସ୍ଥା ଉପରେ ନଜର ରଖାଯାଇଥିଲା ବୋଲି ସ୍ଥାନୀୟ ଇନ୍ସପେକ୍ଟର ଟି.ବି. ହିରାନୀ ସୂଚନା ଦେଇଥିଲେ।

Share