ଗଞ୍ଜାମରେ ୧୨୦ କ୍ଲିନିକ୍‌, ବ୍ରହ୍ମପୁରରେ ସର୍ବାଧିକ ୯୦

ବ୍ରହ୍ମପୁର,୧୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ନକଲି ଡାକ୍ତର ଠାବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସାନମେଖୁଣ୍ଡି ବ୍ଲକ୍‌ ଡେଙ୍ଗାଉସ୍ତାରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୋଲିସ ଓ ପ୍ରଶାସନର ଟିମ୍‌ ଅଧିକ ତନାଘନା ଆରମ୍ଭ କରିଥିଲେ। ଏହା ସହିତ ଜୁଲାଇ ୧୯ ତାରିଖରେ ଡେଙ୍ଗାଉସ୍ତା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଡେଣ୍ଟାଲ୍‌ କ୍ଲିନିକକୁ ଠାବ କରି ସିଲ୍‌ କରିଥିଲା। ଏହି ଘଟଣା ପରେ ରୋଗୀସେବା ନାଁରେ ବେପାର କରୁଥିବା ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି। ଗଞ୍ଜାମ ଜିଲାରେ ପ୍ରାୟ ୧୨୦ ଘରୋଇ ହସ୍ପିଟାଲ୍‌ ଓ କ୍ଲିନିକ୍‌ ରହିଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ) ଡା. ଉମାଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ପ୍ରାୟ ୯୦ କ୍ଲିନିକ୍‌ ବ୍ରହ୍ମପୁରରେ ରହିଥିବା କହିଛନ୍ତି। ତେବେ ଏହି କ୍ଲିନିକଗୁଡ଼ିକର ପ୍ରତିବର୍ଷ ନବୀକରଣ ହେଉଥିବା ସିଡିଏମ୍‌ଓ କହିଛନ୍ତି। ପଞ୍ଜୀକରଣ ନକଲେ ସମ୍ପୃକ୍ତ କ୍ଲିନିକ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଉତ୍ତମ ସ୍ବାସ୍ଥ୍ୟସେବା ପାଇବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶାବାସୀ ବ୍ରହ୍ମପୁର ସହର ଉପରେ ନିର୍ଭର କରନ୍ତି। ବ୍ରହ୍ମପୁରରେ ବଡ଼ ଡାକ୍ତରଖାନା ସହିତ ବହୁ କ୍ଲିନିକ୍‌ ରହିଛି। ପ୍ରତିଦିନ ହଜାର ହଜାର ଲୋକ ସ୍ବାସ୍ଥ୍ୟସେବା ପାଇବା ପାଇଁ ବ୍ରହ୍ମପୁର ଆସିଥାନ୍ତି। ରୋଗୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ନାଁରେ କିଛି ଲୋକ ବେପାର କରୁଛନ୍ତି। ବଡ଼ ଡାକ୍ତରଖାନାରୁ ରୋଗୀଙ୍କୁ କ୍ଲିନିକକୁ ଚାଲାଣ କରାଯାଉଛି। ଏହାପଛରେ ଏକ ବଡ଼ ରାକେଟ୍‌ କାମ କରୁଛି। ବିଗତ ଦିନରେ ବ୍ରହ୍ମପୁର ପୋଲିସ ଏମ୍‌କେସିଜି ମେଡିକାଲରେ ଚଢ଼ଉ କରି ରୋଗୀ ଚାଲାଣ ରାକେଟ୍‌ ଠାବ କରିଥିଲା। କିଛିଦିନ ଧରି ଏହି କାରବାର ବନ୍ଦ ରହିବା ପରେ ପୁଣିଥରେ ରୋଗୀଙ୍କୁ ବିଭିନ୍ନ କ୍ଲିନିକକୁ ଚାଲାଣ କରାଯାଉଥିବା ଅଭିଯୋଗ ଆସୁଛି। ଏଥିପାଇଁ ବ୍ରହ୍ମପୁର ସହରରେ ଗଢ଼ି ଉଠିଛି ମାଳମାଳ କ୍ଲିନିକ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌। ବ୍ରହ୍ମପୁର ସହରରେ ପ୍ରାୟ ୯୦ କ୍ଲିନିକ୍‌ କାର୍ଯ୍ୟକ୍ଷମ ରହିଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। କ୍ଲିନିକ୍‌ ନାଁରେ କିଛି ଅସାଧୁ ଲୋକ ଲିଙ୍ଗ ନିରୂପଣ ସହିତ ବେଆଇନ ଗର୍ଭପାତ କାର୍ଯ୍ୟରେ ଲିପ୍ତ ରହୁଥିବା ବିଗତ ଦିନର ଘଟଣାରୁ ସ୍ପଷ୍ଟ ହୋଇଛି। ତେବେ ଏଭଳି ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗର ଟିମ୍‌ ବିଭିନ୍ନ ସମୟରେ ଚଢ଼ଉ କରୁଛି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପ୍ରତିବର୍ଷ କ୍ଲିନିକର ପଞ୍ଜୀକରଣ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଉଛି ବୋଲି ସିଡିଏମ୍‌ଓ ଡା. ମିଶ୍ର କହିଛନ୍ତି।