୧୨୦ ପାକ୍ସ, ୩୮ଏସ୍‌ଏଚ୍‌ଜି କରିବେ ଧାନ ସଂଗ୍ରହ

ଯାଜପୁର ଟାଉନ,୨୫ା୧୧(ଡି.ଏନ.ଏ.): ଯାଜପୁର ଜିଲା ପରିଷଦ ସମ୍ମିଳନୀ ଗୃହରେ ୨୦୨୨-୨୩ ବର୍ଷ ଖରିଫ୍‌ ଋତୁ ନିମନ୍ତେ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋରେଇ ବିଧାୟକ ଅଶୋକ କୁମାର ବଳ, ଜିଲା ପରିଷଦ ସଭାପତି ନଳିନୀପ୍ରଭା ଜେନା, ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ ଏବଂ ଜିଲା ଯୋଗାଣ ଅଧିକାରୀ ସଲାଉଦ୍ଦିନ ଖାଁ ଉପସ୍ଥିତ ଥିଲେ।
ବୈଠକରେ ଅଧ୍ୟକ୍ଷତା କରି ଜିଲାପାଳ କହିଥିଲେ, ଚଳିତ ବର୍ଷ ଜିଲାରେ ଅଧିକ ଧାନ ଉପତ୍ାଦନ ନେଇ ସୂଚନା ମିଳିଛି। ଏଣୁ ୨୦୨୩ ଜାନୁୟାରୀ ୪ରୁ ଜିଲାରେ ଧାନ ମଣ୍ଡିମାନ ଖୋଲାଯାଇ ଧାନ କିଣା ଆରମ୍ଭ କରାଯିବ। ଚଳିତ ବର୍ଷ ଜିଲାରେ ୧୨୦ଟି ପାକ୍ସ ଏବଂ ୩୮ ଏସ୍‌ଏଚ୍‌ଜି ମହିଳାଙ୍କ ମାଧ୍ୟମରେ ୮,୬୫,୦୦୦ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଚଳିତ ବର୍ଷ ୫୩.୮୪୯ ଚାଷୀ ପଞ୍ଜିକୃତ କରିଥିବାବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୪୦ ଟଙ୍କା ରହିଛି। ବିଧାୟକ ବଳ କହିଥିଲେ, ଧାନ ସଂଗ୍ରହ ସମୟରେ ଚାଷୀଙ୍କୁ ସର୍ବ ନିମ୍ନ ସୁବିଧା ଯୋଗାଇ ଦେବା ସହ ମଣ୍ଡିରେ ଟେଣ୍ଟ୍‌, ପାଣି, ଆଲୋକ ଆଦି ବ୍ୟବସ୍ଥା କରିବା ଦରକାର। ଟୋକନ୍‌ ପାଇଥିବା ଚାଷୀ ଯେପରି ଧାନ ବିକ୍ରୟରୁ ବଞ୍ଚତ୍ତ ନ ହୁଅନ୍ତି ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ବିଧାୟକ ବଳ ପରାମର୍ଶ ଦେଇଛନ୍ତି। ଧାନ ସଂଗ୍ରହର ଅତିରିକ୍ତ ଲକ୍ଷ୍ୟ ପୂରଣ ଦିଗରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମକୁ ମିଲରଙ୍କୁ ଆଗୁଆ ଜଣାଇବାକୁ ସମବାୟ ସମିତି ଉପନିବନ୍ଧକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆର୍‌ଏମ୍‌ସି ସଚିବଙ୍କୁ ପ୍ରତ୍ୟେକ ସେଣ୍ଟରର ସୁବ୍ୟବସ୍ଥା ପାଇଁ ପରାମର୍ଶ ଦେବା ସହ ପୂର୍ବ ବର୍ଷ ଧାନ ସଂଗ୍ରହ ସମୟରେ ଯାହା ସମସ୍ୟା ରହିଥିଲା ତାହା ଦୂରୀକରଣ କରିବାକୁ ଯତ୍ନବାନ ହେବେ ବୋଲି ଜିଲାପାଳ ପରାମର୍ଶ ଦେଇଛନ୍ତି।
ସରକାରଙ୍କ ଗାଇଡ୍‌ଲାଇନ୍‌ ମାନି ଯେଉଁ ମିଲର ୨୦୨୧-୨୨ ଆର୍ଥିକ ବର୍ଷର ଧାନ ସଂଗ୍ରହ କରିଥିଲେ, ସେମାନେ ଚଳିତ ଆର୍ଥିକ ବର୍ଷରେ ଧାନ ସଂଗ୍ରହ କରିବାକୁ ଯୋଗ୍ୟ ବିବେଚିତ ହେବେ। ଜିଲାରେ ଧାନ ସଂଗ୍ରହକୁ ସୁଗମ ତଥା ବ୍ୟବସ୍ଥିତ କରିବାକୁ ଅତିରିକ୍ତ ଜିଲାପାଳ ମଲ୍ଲିକଙ୍କୁ ଜିଲା ନୋଡାଲ ଅଫିସର ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଜିଲାର ୧୦ ବ୍ଲକ୍‌ ଓ ୨ ସହରାଞ୍ଚଳରେ ତହସିଲଦାରମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଉପଖଣ୍ଡ ସ୍ତରରେ ଏକ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି। ଏଥିରେ ଉପଜିଲାପାଳ, ଅତିରିକ୍ତ ଯୋଗାଣ ଅଧିକାରୀ, ମେମ୍ବର କନ୍‌ଭେନର ରହିଥିବା ବେଳେ ଜିଲା କୃଷି ଅଧିକାରୀ, ଉପନିବନ୍ଧକ, କୋଅପରେଟିଭ ସୋସାଇଟି, ଜିଲା ସମାଜ ମଙ୍ଗଳ ଅଧିକାରୀ, କମିଟିର ସଦସ୍ୟ ରହିଛନ୍ତି। ପ୍ରାରମ୍ଭରେ ଜିଲା ଯୋଗାଣ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହ ପିପିଟି ମାଧ୍ୟମରେ ଚଳିତ ବର୍ଷର ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ, ମିଲର, ଚାଷୀ ଏବଂ ଜିଲା ଯୋଗାଣ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share