ନୂଆଦିଲ୍ଲୀ,୧୧।୭: ଆନ୍ଧ୍ରପ୍ରଦେଶର ଅଗ୍ରଣୀ ଘରୋଇ ସଂସ୍ଥା ରାମ୍କୀ ଗ୍ରୁପ୍ ଅଫ୍ କମ୍ପାନିଜ୍ ପ୍ରାୟ ୧୨୦୦ କୋଟିର ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି ଟିକସ ଫାଙ୍କିବା ପାଇଁ ବାଟ କରିଥିଲା। ସଂସ୍ଥାର ଏଭଳି ଆଚରଣ ଯୋଗୁ ଆୟକର ବିଭାଗ ସନ୍ଦେହ ପ୍ରକଟ କରି ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରିଥିଲା। ଆୟକର ବିଭାଗ ବିଶେଷ ସୂତ୍ରରୁ କିଛି ତଥ୍ୟ ସଂସ୍ଥା ସମ୍ପର୍କରେ ଜାଣିବାକୁ ପାଇଥିଲା। ଫଳରେ ବିଭାଗ ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିବା ଯୋଗୁ ଏହି ଗ୍ରୁପ୍ ପ୍ରାୟ ୧୨୦୦ କୋଟି ଟଙ୍କାର ଜାଲିଆତି କରିଥିବା ଜାଣିବାକୁ ପାଇଥିଲା। ସେହିପରି ଏହି କମ୍ପାନୀ ପ୍ରାୟ ୩୦୦ କୋଟି ଟଙ୍କାର ଆୟ ଲୁଚାଇଥିବା ମଧ୍ୟ ତଦନ୍ତରୁ ଜଣାପଡିଛି। ଏହି କମ୍ପାନୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ନିକଟତମ ବ୍ୟକ୍ତି ତଥା ରାଜ୍ୟ ସଭା ସଦସ୍ୟ ଅଯୋଧ୍ୟା ରାମୀ ରେଡ୍ଡୀଙ୍କ ପାରିବାରିକ କମ୍ପାନୀ ବୋଲି ଜଣାପଡିଛି। ଉକ୍ତ କମ୍ପାନୀ ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛି, ଏପରିକି ଓଡ଼ିଶାର ଭୁବନେଶ୍ୱର ଓ କଟକରେ ମଧ୍ୟ ବର୍ଜ୍ୟବସ୍ତୁ ଉଠାଇବା ଦାୟିତ୍ୱ ନେଇଛି। ରାମ୍କୀ ନାଁରେ ବହୁ ଆଗରୁ ଠକେଇ ଓ ଜାଲିଆତି ଭଳି ଅଭିଯୋଗ ରହିଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଜୁଲାଇ ୬ରେ ଆୟକର ବିଭାଗ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଏହି ସମୟରେ ରାମ୍କୀର ବିଭିନ୍ନ ଦସ୍ତାବିଜରୁ ଅନେକ ତଥ୍ୟ ମିଳିଥିଲା। ପରେ ଜାଲିଆତି ଓ ଆର୍ଥିକ ଠକେଇର ସମସ୍ତ ହିସାବ ଆୟକର ବିଭାଗ ପାଇଥିଲା। ଏଥିରୁ ଜଣାପଡ଼ିଛି ଯେ ରାମ୍କୀ ଗ୍ରୁପ୍ ଏପରିି ଅନେକ ଅନ୍ଲାଇନ ଟ୍ରାଞ୍ଜାକଶନ କରିଛି ଯାହାର ହିସାବ ନାହିଁ। ବେଆଇନ ଭାବେ ଅର୍ଥ ଟ୍ରାଞ୍ଜାକଶନର କାଗଜପତ୍ର ବିଭାଗକୁ କମ୍ପାନୀ ଦେବାରେ ସକ୍ଷମ ହୋଇପାରିନାହିଁ। ରାମ୍କୀ ଗ୍ରୁପ୍ ୨୦୧୮-୧୯ ଆର୍ଥିକ ବର୍ଷରେ ନିଜର କିଛି ଶେୟାର ସିଙ୍ଗାପୁରର ଏକ ଘରୋଇ କମ୍ପାନୀକୁ ବିକ୍ରିକରି ସେଥିରୁ ଅଧିକରୁ ଅଧିକ ଟଙ୍କା ଲାଭ କରିଥିବା ଜଣାପଡ଼ିଛି। କମ୍ପାନୀ ମୁଖ୍ୟତଃ ଆୟକର ଫାଙ୍କିବା ପାଇଁ ନିଜର ଶେୟାର କିଣାବିକାରେ ହେରଫେର କରିଛି ବୋଲି ଆୟକର ବିଭାଗ ତଦନ୍ତରୁ ଜାଣିପାରିଛି। ପୂର୍ବରୁ କମ୍ପାନୀ ଆୟକର ବିଭାଗକୁ ଦେଖାଇଥିଲା ଯେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଛି। ଏହି ଘଟଣାକୁ ଗୁରୁତ୍ୱ ଦେଇ ବିଭାଗ କମ୍ପାନୀର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରିବା ପରେ ଏହା ହୃଦ୍ବୋଧ କରିଛି। କେବଳ ସେତିକି ନୁହେଁ, ରାମ୍କୀ ମଧ୍ୟ ୨୮୮ କୋଟି ଟଙ୍କାର ଲୋନ୍ ନେଇଥିଲା ହେଲେ ଏହାକୁ ଭୁଲ୍ ଢଙ୍ଗରେ ଆୟକର ରିଟର୍ନ ଦାଖଲ କରିଥିବା ଦେଖାଇଛି ବୋଲି ଆୟକର ବିଭାଗ କହିଛି।