Categories: ଜାତୀୟ

୪ ମାସରେ ୧,୨୨୪ ମୃତ

ନୂଆଦିଲ୍ଲୀ,୩ା୮ : ଜଳବାୟୁ ପରିବର୍ତ୍ତନ ଯୋଗୁ ବନ୍ୟା ଓ ଝଡ଼ ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଭାରତରେ ଗତ ୪ ମାସ ମଧ୍ୟରେ ୧,୨୨୪ ଜଣଙ୍କ ଜୀବନ ଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ତଥ୍ୟ ପ୍ରଦାନ କରାଯାଇଛି। ମୃତକଙ୍କ ମଧ୍ୟରୁ ସର୍ବାଧିକ ୫୦୨ ଜଣ ବିହାରର। ଏହି ଅବଧି ମଧ୍ୟରେ ମଧ୍ୟପ୍ରଦେଶରେ ୯୭ ଓ ଗୁଜରାଟରେ ୯୪ ଜଣଙ୍କ ମୃତ୍ୟୁ ଘଟିଛି। ହିମାଚଳ ପ୍ରଦେଶ ଏହି କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି, ଯେଉଁଠି ବନ୍ୟାବିତ୍ପାତ ଓ ଭୂସ୍ଖଳନ ଯୋଗୁ ୮୮ ଜଣ ପ୍ରାଣ ହରାଇଛନ୍ତି। ରାଜ୍ୟ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ କହିଛନ୍ତି, ହାଇଡ୍ରୋ-ମେଟେରୋଲୋଜିକାଲ୍‌ ଡିଜାଷ୍ଟର (ଜଳ ପାଣିପାଗ ସମ୍ପର୍କିତ ବିପର୍ଯ୍ୟୟ)ରେ ୨୫,୫୫୮ ଗୋରୁଙ୍କ ମୃତ୍ୟୁ ଘଟିଥିବାବେଳେ ୬୧,୦୦୦ରୁ ଅଧିକ ଘର ଭାଙ୍ଗିଯାଇଛି।

କିନ୍ତୁ ଉତ୍ତର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼ ଓ ଉତ୍ତରାଖଣ୍ଡରେ ଏହାର ସବୁଠୁ କମ୍‌ ପ୍ରଭାବ ଦେଖିବାକୁ ମିଳିଛି। ଏଭଳି ବିପତ୍ତି ସମୟରେ ଧନଜୀବନ ହାନିକୁ ହ୍ରାସ କରିବା ଉପରେ ଦେଶରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। କେନ୍ଦ୍ର ସରକାର ଏକ ଆଗୁଆ ସତର୍କତା ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି, ଯହିଁରୁ ପାଣିପାଗ ସମ୍ପର୍କରେ ଠିକ୍‌ ସୂଚନା ମିଳିପାରୁଛି। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ନିଆଯାଉଥିବା ପ୍ରସ୍ତୁତି, ନିରାକରଣ ଓ ପ୍ରଶମନ ବ୍ୟବସ୍ଥା ଭଳି ପଦକ୍ଷେପ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁ ହ୍ରାସ ପାଇଛି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଭଳି ଭାରତରେ ପ୍ରତିକୂଳ ପାଗର ଖରାପ ପ୍ରଭାବ ବଢ଼ିଚାଲିଛି ବୋଲି ନିତ୍ୟାନନ୍ଦ କହିଛନ୍ତି।

Share