ଅବହେଳାରୁ ୧୨୪କୋଟି କ୍ଷତି

ଭୁବନେଶ୍ୱର,୩।୧୧(ବ୍ୟୁରୋ): ପରିବହନ ବିଭାଗର କେତେକ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଏବଂ ଟିକସ ଆଦାୟରେ ଅନିୟମିତତା ଯୋଗୁ ରାଜ୍ୟ ସରକାରଙ୍କୁ ବହୁ କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡୁଛି। ମୋଟର ଯାନ ଟିକସ ଆଦାୟ ବିଳମ୍ବ, ଡେରିରେ ଆଦାୟ ହେଉଥିବା ଟିକସରେ ଜରିମାନା ଆଦାୟ ନ କରିବା, ପରମିଟ ନ ଥାଇ ହଜାର ହଜାର ଗାଡ଼ି ଚାଲୁଥିଲେ ମଧ୍ୟ ସେସବୁ ଉପରେ ଜରିମାନା ଲଗାଇବାରେ ଆର୍‌ଟିଓଗୁଡ଼ିକ ବିଫଳ ହୋଇଛନ୍ତି। କେବଳ ସେତିକି ନୁହେଁ, ପରିବହନ ବିଭାଗ ଅଧିକାରୀ ଯାନବାହନ ମାଲିକଙ୍କ ସହ ସଲାସୁତରା ଯୋଗୁ ପର୍‌ମିଟ ପ୍ରଦାନରେ ମଧ୍ୟ ବ୍ୟାପକ ଘୋଟାଲା ହୋଇଛି। ଦୂରଗାମୀ ଏବଂ ଆନ୍ତଃ ରାଜ୍ୟ ଯାତ୍ରୀବାହୀ ଯାନଗୁଡ଼ିକୁ ସାଧାରଣ ଯାନ ଭାବେ ପଞ୍ଜୀକୃତ କରାଯାଇଛି। ଏଥିଯୋଗୁ ପଞ୍ଜୀକୃତ ଯାନବାହାନରୁ ଟିକସ ଆଦାୟ ବାଟବଣା ହୋଇଛି। ଫଳରେ ସରକାରଙ୍କୁ ୧୨୩.୯୭ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିଥିବା କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)ଙ୍କ ରିପୋର୍ଟରୁ ଜଣାପଡ଼ିଛି।
ସିଏଜି ଉଲ୍ଲେଖ କରିଛନ୍ତି ଯେ, ବାଣିଜ୍ୟ ଓ ପରିବହନ ବିଭାଗର ୫୨ ୟୁନିଟରୁ ୩୮ଟି ୟୁନିଟରେ ହୋଇଥିବା ଅଡିଟରେ ୨୦୧୭-୧୮ ଆର୍ଥିକ ବର୍ଷରେ ୬୪ ଲକ୍ଷ ୭୬ ହଜାର ୫୫ ଯାନବାହନ ପଞ୍ଜୀକୃତ ହୋଇଥିଲା। ସେଥିରୁ ୧୧,୨୦,୦୯୩ ଯାନ ଯାଞ୍ଚ କରିବାବେଳେ ୫୭,୭୬୭ଟି ମାମଲାରେ ୧୨୩.୯୭ କୋଟି ଟଙ୍କାର ଟିକସ ଆଦାୟରେ ହେରଫେର ହୋଇଥିବା ଜଣାପଡ଼ିଛି। ଓଡ଼ିଶା ମୋଟର ଯାନ ଅଧିନିୟମ-୧୯୭୫ର ଧାରା ୩(୧) ଏବଂ ୩ ଅନୁଯାୟୀ ବ୍ୟବହାର କିମ୍ବା ବ୍ୟବହାର ପାଇଁ ରଖାଯାଇଥିବା ମୋଟର ଯାନଠାରୁ ଟିକସ ଆଦାୟ କରାଯିବ। ସେହିପରି ୨୦୧୭ ଏପ୍ରିଲରୁ ୨୦୧୮ ଫେବୃୟାରୀ ମଧ୍ୟରେ ୩୫ଟି ଆଞ୍ଚଳିକ ପରବହନ କାର୍ଯ୍ୟାଳୟ(ଆର୍‌ଟିଓ)ରୁ ୩୨ କାର୍ଯ୍ୟାଳୟର ‘ବାହାନ’ ଡାଟାବେସ ସହ ସଂଯୋଗ ହୋଇଥିବା ଟିକସ ନଥିପତ୍ର ଯାଞ୍ଚ କରାଯାଇଥିଲା। ଏଥିରେ ୨ଟି ଶ୍ରେଣୀରେ ମୋଟ ୪,୧୩,୮୨୨ଟି ପଞ୍ଜୀକୃତ ଯାନ ମଧ୍ୟରୁ ୨୭,୪୧୩ ଯାନର ମାଲିକ (୨୦୧୫ରୁ ୨୦୧୭ ମଧ୍ୟରେ) ଟିକସ, ଅତିରିକ୍ତ ଟିକସ ଓ ଜରିମାନା ବାବଦରେ ୮୦.୨୩ କୋଟି ପଇଠ କରି ନଥିବା ଜଣାପଡ଼ିଛି। ସେହିପରି ପଞ୍ଜୀକୃତ ୧୩,୫୨୦ ଟ୍ରେଲର ସଂଲଗ୍ନ ଟ୍ରାକ୍ଟର, ଘରୋଇ ଯାନ ଏବଂ ଶିକ୍ଷାନୁଷ୍ଠାନରେ ବ୍ୟବହାର ହେଉଥିବା ବସ୍‌ଠାରୁ ଟିକସ ବାବଦରେ ୪.୦୬ କୋଟି ଏବଂ ଜରିମାନା ବାବଦରେ ୮୧.୧୨ କୋଟି ଟଙ୍କା ଆଦାୟ କରିନାହାନ୍ତି। ଖାଲି ସେତିକି ନୁହେଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏବଂ ଆରଟିଓ ପର୍‌ମିଟ ଡାଟାବେସ ମଧ୍ୟରେ ତାଳମେଳ ନ ଥିବାରୁ ୫.୫୪ ଲକ୍ଷ ଟଙ୍କା ଟିକସ ଆଦାୟ ହୋଇପାରି ନାହିଁ। ସେହିପରି ଆନ୍ତଃରାଜ୍ୟ ପରମିଟ ଦେବାରେ ମଧ୍ୟ ହେରଫେର ହୋଇଛି। ଯାନବାହନଗୁଡ଼ିକ ୨୫ କି.ମି.ରୁ ଅଧିକ ଦୂରକୁ ହେଲେ ଦୂରଗାମୀ ପରମିଟ ଦିଆଯାଇଥାଏ। ତେବେ ପରିବହନ ଅଧିକାରୀ ୪୯ଟି ଯାନର ଦୂରଗାମୀ ପରମିଟକୁ ସାଧାରଣ ପରମିଟରେ ପରିବର୍ତ୍ତନ କରି ଦେଇଛନ୍ତି। ଏଥିଯୋଗୁ ସରକାରଙ୍କୁ ୧୭.୩୭ ଲକ୍ଷ ଟଙ୍କାର ଟିକସ ଓ ଜରିମାନା କ୍ଷତି ସହିବାକୁ ପଡ଼ିଛି। ଏପରି କି ୧୪ଟି ଆନ୍ତଃରାଜ୍ୟ ଯାତ୍ରୀବାହୀ ଯାନକୁ ସାଧାରଣ ପରମିଟ ଦିଆଯାଇଛି। ଏଥିପାଇଁ ୬.୧୦ଲକ୍ଷ ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଛି। ସେହିପରି ଶୀତତାପ ନିୟନ୍ତ୍ରିତ ଯାତ୍ରୀବାହୀ ଯାନର ଟିକସ ଧାର୍ଯ୍ୟ ବିଳମ୍ବ ଯୋଗୁ ୯୯.୭୩ କୋଟି ଟଙ୍କା କ୍ଷତି ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

Share