ନୂଆଦିଲ୍ଲୀ,୮।୭ : ଦେଶର ୩ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀଙ୍କୁ ସରକାର ୧୨,୪୫୦ କୋଟି ଟଙ୍କାର ପୁଞ୍ଜି ଯୋଗାଇଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଧବାର ଏ ନେଇ ନିଷ୍ପତ୍ତି ହୋଇଛି। ସାଧାରଣ ବୀମା କମ୍ପାନୀଗୁଡ଼ିକର ପୁଞ୍ଜିକୁ ବଢାଇ ସେଗୁଡିକ ଦୃଢ଼ୀକରଣ କରିବା ଲକ୍ଷ୍ୟ ରହିଛି। ସେହିଭଳି ୩ କମ୍ପାନୀର ମିଶ୍ରଣ ଯୋଜନାକୁ ସରକାର ବର୍ତ୍ତମାନ ବନ୍ଦ ରଖିଛନ୍ତି। କମ୍ପାନୀଗୁଡିକୁ ସଶକ୍ତ କରିବା ସହ ଅଭିବୃଦ୍ଧି କରାଇବା ଲାଗି ପୁଞ୍ଜି ଯୋଗାଣ ପଦକ୍ଷେପ ସରକାର ଗ୍ରହଣ କରିଥିବା ଜଣାପଡ଼ିଛି। ଏହା ମଧ୍ୟରେ ନ୍ୟାଶନାଲ ଇନ୍ସ୍ୟୁରାନ୍ସ କମ୍ପାନୀ, ଓରିଏଣ୍ଟାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଏବଂ ୟୁନାଇଟେଡ୍ ଇନ୍ସ୍ୟୁରାନ୍ସ କମ୍ପାନୀ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଗତ ବର୍ଷ ଘୋଷଣା କରାଯାଇଥିବା ୨,୫୦୦ କୋଟିର ପୁଞ୍ଜି ଯୋଗାଣ ମଧ୍ୟ ସାମିଲ ରହିଛି। କମ୍ପାନୀଗୁଡିକ ଅଧିକ ପୁଞ୍ଜି ଲାଭ କରିବା ଫଳରେ ସଶକ୍ତ ହେବାକୁ ସକ୍ଷମ ହେବେ ବୋଲି ଜାଭଡେକର କହିଛନ୍ତି।