ଜମି ବିବାଦ କାଳ ହେଲା: ବୃଦ୍ଧ ଦମ୍ପତିଙ୍କୁ ହତ୍ୟା; ପୋତା ଯାଇଥିବା ମୃତଦେହକୁ ଉଦ୍ଧାର କଲା ପୋଲିସ

ଝୁମ୍ପୁରା,୧୫।୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ କାଶିଆ ଗ୍ରାମ ଜଙ୍ଗଲ ପାର୍ଶ୍ୱରୁ ଝୁମ୍ପୁରା ଥାନା ପୋଲିସ ଏକ ବୃଦ୍ଧ ଦମ୍ପତିଙ୍କ ମୃତଦେହକୁ ଗୁରୁବାର ମାଟିତଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ହେଲେ ପାଟବିଲା ଗ୍ରାମର ବୁଦ୍ଧଦେବ ମହାକୁଡ (୬୦) ଏବଂ ତାଙ୍କ ସ୍ତ୍ରୀ ମାଳତୀ ମହାକୁଡ (୫୫)। ଏହି ଦମ୍ପତିଙ୍କ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ପୋତି ଦିଆଯାଇଥିବା ତାଙ୍କ ପୁଅ କାର୍ତ୍ତିକ ମହାକୁଡ ଅଭିଯୋଗ କରିଛନ୍ତି। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଚମ୍ପୁଆ ଏସ୍‌ଡିପିଓ ହରିହର ପାଣି ଓ ସ୍ଥାନୀୟ ପୋଲିସ ଜମିଜମା ବିବାଦକୁ ନେଇ ଏହି ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି ା
ମିଳିଥିବା ସୂଚନା ଅନୁଯାୟୀ, ପାଟବିଲା ଗ୍ରାମ ପାଖ କାଶିଆ ଜଙ୍ଗଲ ପାର୍ଶ୍ୱରେ ପ୍ରତି ଶୁକ୍ରବାର ସାପ୍ତାହିକ ହାଟ ବସିଥାଏ। ବୁଦ୍ଧଦେବ ଓ ମାଳତୀ ଗତ ୮ ତାରିଖ ଦିନ ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବନ୍ଧୁ ବାନ୍ଧବଙ୍କ ସହିତ ଏ ନେଇ ଯୋଗାଯୋଗ କରିଥିଲେ ା ବିଭିନ୍ନ ସ୍ଥାନରେ ଏହି ଦମ୍ପତିଙ୍କୁ ଖୋଜା ଖୋଜି କରାଯାଇଥିଲା ା ହେଲେ ସେମାନଙ୍କ କୌଣସି ପତ୍ତା ମିଳି ନ ଥିଲା । ଗତ ୧୩ ତାରିଖ ସନ୍ଧ୍ୟାରେ କାଶିପାଳ ଜଙ୍ଗଲ ପାର୍ଶ୍ୱରେ ବନ ବିଭାଗ ପକ୍ଷରୁ ଲଗାଯାଇଥିବା ଗଛଗୁଡିକ ନିମନ୍ତେ ଜଳ ସଂରକ୍ଷଣ ପାଇଁ ବହୁ ସଂଖ୍ୟାରେ ଟ୍ରେଞ୍ଚ ଖୋଳାଯାଇଥିଲା ା ସେହି ଟ୍ରେଞ୍ଚ ମଧ୍ୟରୁ ୨ଟିରେ ମୃତଦେହ ପୋତା ଯାଇଥିବା ସ୍ଥାନୀୟ ଛେଳି ଚରାଳିମାନେ ଦେଖି ଗାଁରେ ଖବର ଦେଇଥିଲେ। ଅଳ୍ପ ଗାଢ ବିଶିଷ୍ଟ ୨ ଟ୍ରେଞ୍ଚରେ ମୃତଦେହ ରଖି କେବଳ ମାଟି ଘୋଡାଇ ଦିଆଯାଇଥିଲା ା ସେଥିପାଇଁ ମୃତଦେହ ପଚି ଦୁର୍ଗନ୍ଧ ବାହାରୁଥିଲା। ଦମ୍ପତିଙ୍କ ପୁଅ କାର୍ତ୍ତିକ ଘଟଣାସ୍ଥଳରେ ପହଞ୍ଚତ୍ ମା’ ବାପାଙ୍କ ଚପଲ ଓ ଲୁଗାପଟା ଦେଖି ଝୁମ୍ପୁରା ପୋଲିସକୁ ଖବର ଦେଇ ଥିଲେ। ଝୁମ୍ପୁରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ସାଇଣ୍ଟିଫିକ ଟିମକୁ ଖବର ଦେଇଥିଲା। ମଧ୍ୟାହ୍ନରେ ଚମ୍ପୁଆ ଏସ୍‌ଡିପିଓ ହରିହର ପାଣି, ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଝୁମ୍ପୁରା ତହସିଲଦାର ଜନକ ନାୟକ, ସାଇଣ୍ଟିଫିକ ଟିମଙ୍କ ଉପସ୍ଥିତରେ ପୋତା ଯାଇଥିବା ଦମ୍ପତିଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ା