୧୨୮ ଘର ଭଙ୍ଗାହେଲା

କଟକ ଅଫିସ,୨୩।୭: ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହାର ଚତୁଃପାର୍ଶ୍ୱରୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଜବରଦଖଲ ଉଚ୍ଛେଦ ଜାରି ରହିଛି। କିଛିଦିନର ବ୍ୟବଧାନ ପରେ ଗୁରୁବାର ଏସ୍‌ସିବି କ୍ୟାମ୍ପସ, ମାଲଗୋଦାମ ବେହେରାସାହି, ହାଡିଆପଠା ଓ ସିଲଭର ସିଟି ବୋଟ୍‌ କ୍ଲବଠାରେ ଥିବା ୧୨୮ ଗୃହ ଭଙ୍ଗାଯାଇଛି। ଉଚ୍ଛେଦ କରାଯାଇଥିବା ବସ୍ତିବାସିନ୍ଦାଙ୍କୁ ବାଲିସାହିଠାରେ ଥଇଥାନ କରାଯାଇଛି। ସେମାନଙ୍କୁ ଗୃହ ନିର୍ମାଣ ପାଇଁ ୧୫ ଫୁଟ ଲମ୍ବ ଓ ୧୫ ଫୁଟ ଓସାରରେ ଜାଗା ଯୋଗାଇ ଦିଆଯିବା ସହ ୫୦ହଜାର ଟଙ୍କା ଚେକ୍‌ ଆକାରରେ ପ୍ରଦାନ କରାଯାଇଛି। ଏଥିସହ ୮ ଦିନ ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ପ୍ରଦାନ କରାଯିବ। ସିଲ୍‌ଭର ସିଟି ବୋଟ୍‌ କ୍ଲବ ଯିବା ରାସ୍ତାରେ ଥିବା ଷଣ୍ଢ ଆଶ୍ରମ ନିକଟରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଥିବା ମୁଣ୍ଡାସାହିର ୧୮୦ ପରିବାରକୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଉଚ୍ଛେଦ କରାଯିବ ବୋଲି ସିଏମ୍‌ସି ଡେପୁଟି କମିଶନର ଅବିନାଶ ରାଉତ କହିଛନ୍ତି। ତେବେ ଏହି ଉଚ୍ଛେଦ ସମୟରେ ଡେପୁଟି କମିଶନରଙ୍କ ସମେତ ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ଉପସ୍ଥିତ ଥିଲେ।

Share