ନୂଆଦିଲ୍ଲୀ,୮ା୬: ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣାଧୀନ ପୋଲାଭରମ୍ ପ୍ରକଳ୍ପ ପାଇଁ ବୁଧବାର କେନ୍ଦ୍ର ସରକାର ୧୨,୯୧୧ କୋଟି ଟଙ୍କା ପ୍ରଦାନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଦିଆଯିବାକୁ ଥିବା ଏହି ପାଣ୍ଠିରୁ ୨,୦୦୦ କୋଟି ଟଙ୍କାରେ ବନ୍ୟା ଯୋଗୁ ପ୍ରକଳ୍ପର ନଷ୍ଟ ହୋଇଥିବା ଅଂଶକୁ ମରାମତି କରାଯିବ। ୨୦୧୪-୧୫ ଆର୍ଥିକବର୍ଷର ରାଜସ୍ବ ନିଅଣ୍ଟ ବ୍ୟବଧାନକୁ ପୂରଣ କରିବା ଲାଗି ନିକଟରେ ସରକାର ୧୦,୪୬୦.୮୭ କୋଟି ଟଙ୍କା ଦେଇଥିଲେ।
ପ୍ରକାଶ ଯେ, ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ଶେଷ ହେଲେ ଓଡ଼ିଶା, ତେଲଙ୍ଗାନା ଓ ଛତିଶଗଡ଼ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ଥିବାରୁ ୩ ରାଜ୍ୟ ଏହାକୁ ବିରୋଧ କରିଆସୁଛନ୍ତି। ଏହି ମାମଲା ସୁପ୍ରିମକୋର୍ଟରେ ୧୫ ବର୍ଷ ହେଲା ବିଚାରାଧୀନ ରହିଛି। ଗତ ମାର୍ଚ୍ଚରେ ଶୁଣାଣି ବେଳେ କେନ୍ଦ୍ର ସରକାର ଆପୋସ ବୁଝାମଣା ଜରିଆରେ ଏହାର ସମାଧାନ କରି ଷ୍ଟାଟସ୍ ରିପୋର୍ଟ ଦାଖଲ ସକାଶେ ସର୍ବୋଚ୍ଚ ଅଦାଲତଙ୍କୁ ୩ ମାସ ସମୟ ମାଗିଥିଲେ।