ଫରିଦାବାଦ,୧୧।୧୧: ଫରିଦାବାଦର ବଲାଭଗଡ ସେକ୍ଟର-୧୧, ଦିଲ୍ଲୀ ପବ୍ଲିକ ସ୍କୁଲର ଦ୍ୱାଦଶ ଶ୍ରେଣୀର ଛାତ୍ର ଅପୂର୍ବ ଯାଦବଙ୍କୁ ସ୍କୁଲରେ ୧୦ ମିନିଟ ବିଳମ୍ବ ହେତୁ ତାଙ୍କୁ କଡ଼ା ଦଣ୍ଡ ମିଳିଛି। ସ୍କୁଲ ଶିକ୍ଷକ ତାଙ୍କୁ ଏମିତି ଦଣ୍ଡ ଦେଇଛନ୍ତି ଯେ ସେ ଏବେ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ କରୁଛି। ସେକ୍ଟର ୮ ପୋଲିସ ଷ୍ଟେଶନରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଅପୂର୍ବଙ୍କ ଦାଦା ଉମାକାନ୍ତ ଯାଦବ କହିଛନ୍ତି, ଗତ ଅକ୍ଟୋବର ୧୭ରେ ଅପୂର୍ବ ୧୦ ମିନିଟ୍ ବିଳମ୍ବରେ ସ୍କୁଲରେ ପହଞ୍ଚିଥିଲେ। ଏହି କାରଣରୁ ଶିକ୍ଷକ ଲୋକେଶ ତାଙ୍କୁ ପିଟିଥିଲେ। ଘରକୁ ଆସିବା ପରେ ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା। ସେ ନଭେମ୍ବର ୨ ପର୍ଯ୍ୟନ୍ତ ସ୍କୁଲ ଯାଇ ନ ଥିଲେ। ନଭେମ୍ବର ୨ରେ ମଧ୍ୟ ୧୦ ମିନିଟ ବିଳମ୍ବରେ ବିଦ୍ୟାଳୟରେ ପହଞ୍ଚିବା ପରେ ଲୋକେଶ ତାଙ୍କୁ ପୁଣି ପିଟିଥିଲେ। ଏହା ପରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହେବାକୁ ଲାଗିଲା। ଘରକୁ ଫେରିବା ପରେ ସେ ଦୁଇଥର ବୋହୋଶ ହୋଇପଡିଥିଲେ। ତାଙ୍କୁ ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ସପ୍ତାହେ ବିତିଗଲାଣି, କିନ୍ତୁ ତାଙ୍କ ଚେତା ଫେରିନାହିଁ। ଛାତ୍ରଙ୍କ ସାଙ୍ଗ ଏବଂ ଅନ୍ୟ କର୍ମଚାରୀଙ୍କୁ ଏନେଇ ପଚରାଉଚରା କରାଯାଉଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଲୋକେଶଙ୍କୁ ନିଲମ୍ବିତ କରାଯାଇଛି।