Categories: ଜାତୀୟ

୧୩.୧୩ ଲକ୍ଷ ଝିଅ, ମହିଳା ନିଖୋଜ

ନୂଆଦିଲ୍ଲୀ,୩୧ା୭ (ପି.ଟି.): ଭାରତରେ ୨୦୧୯ରୁ ୨୦୨୧ ତିନି ବର୍ଷ ମଧ୍ୟରେ ୧୩.୧୩ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ଓ ଝିଅ ନିଖୋଜ ହୋଇଯାଇଛନ୍ତି। ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ପାଖାପାଖି ୨ ଲକ୍ଷ ନିଖୋଜ ହୋଇଥିବାବେଳେ ଏହା ପଛକୁ ପଶ୍ଚିମବଙ୍ଗ ରହିଛି। ଏହି ସମୟ ମଧ୍ୟରେ ଓଡ଼ିଶାରୁ ୭୦ ହଜାର ୨୨୨ ମହିଳା ଏବଂ ୧୬ ହଜାର ୬୪୯ ଝିଅ ନିଖୋଜ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି। ପାର୍ଲାମେଣ୍ଟରେ ଉପସ୍ଥାପନ କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୮ ବର୍ଷରୁ ଉର୍ଦ୍ଧ୍ୱ ୧୦,୬୧,୬୪୮ ଜଣ ମହିଳା ଏବଂ ୧୮ ବର୍ଷରୁ କମ୍‌ ୨,୫୧,୪୩୦ ଝିଅ ସାରା ଦେଶରୁ ନିଖୋଜ ହୋଇଯାଇଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ଦ୍ୱାରା ଏହି ତଥ୍ୟ ସଂଗ୍ରହ କରାଯାଇଛି।
୨୦୧୯ରୁ ୨୦୨୧ ମଧ୍ୟରେ ମଧ୍ୟପ୍ରଦେଶରୁ ୧,୬୦,୧୮୦ ମହିଳା ଏବଂ ୩୮,୨୩୪ ଝିଅ ନିଖୋଜ ହୋଇଥିବାବେଳେ ପଶ୍ଚିମବଙ୍ଗରୁ ୧,୫୬,୯୦୫ ମହିଳା ଏବଂ ୩୬,୬୦୬ ଝିଅଙ୍କ ଖୋଜଖବର ମିଳୁନାହିଁ। ସେହିପରି ମହାରାଷ୍ଟ୍ରରୁ ୧,୭୮,୪୦୦ ମହିଳା ଏବଂ ୧୩,୦୩୩ ଝିଅ ଲାପତ୍ତା ହୋଇଥିବାବେଳେ ଛତିଶଗଡ଼ରୁ ୪୯,୧୧୬ ମହିଳା ଏବଂ ୧୦,୮୧୭ ଝିଅ ନିଖୋଜ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୬୧,୦୫୪ ମହିଳା ଏବଂ ୨୨,୯୧୯ ଝିଅ ଗତ ୩ ବର୍ଷରେ ନିଖୋଜ ହୋଇଛନ୍ତି। ସେହିପରି ଜମ୍ମୁ-କଶ୍ମୀରରେ ୮,୬୧୭ ମହିଳା ଏବଂ ୧,୧୪୮ ଝିଅଙ୍କ ପତ୍ତା ମିଳୁନାହିଁ। ମହିଳାମାନଙ୍କ ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଇଥିବା ପାର୍ଲାମେଣ୍ଟକୁ ଜଣାଇଛନ୍ତି। ଯୌନ ଅପରାଧରୁ ମହିଳାଙ୍କ ସୁରକ୍ଷା ପାଇଁ ଫୌଜଦାରି ଆଇନ (ସଂଶୋଧନ) ଆଇନ, ୨୦୧୩ କାର୍ଯ୍ୟକାରୀ ହୋଇଛି। ଏହା ବ୍ୟତୀତ ଦଣ୍ଡ ବ୍ୟବସ୍ଥାକୁ ଅଧିକ କଠୋର କରିବା ପାଇଁ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ, ୨୦୧୮ କାର୍ଯ୍ୟକାରୀ ହୋଇଛି, ଯେଉଁଥିରେ ୧୨ ବର୍ଷ ବୟସରୁ କମ୍‌ ଝିଅଙ୍କୁ ବଳାତ୍କାର କଲେ ମୃତ୍ୟୁଦଣ୍ଡ ଦିଆଯାଇପାରିବ। ବଳାତ୍କାର ଅଭିଯୋଗର ୨ ମାସ ମଧ୍ୟରେ ତଦନ୍ତ ଶେଷ କରି ଚାର୍ଜଶିଟ୍‌ ଦାଖଲ କରିବା ଏବଂ ପରବର୍ତ୍ତୀ ୨ ମାସରେ ବିଚାର ଶେଷ କରିବାକୁ ଆଇନରେ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସରକାର ଏକ ଏମର୍ଜେନ୍ସି ରେସ୍ପନ୍ସ ସପୋର୍ଟ ସିଷ୍ଟମ୍‌ ଆରମ୍ଭ କରିଛନ୍ତି। ୧୧୨ ନମ୍ବର ଭିତ୍ତିକ ଏହି ବ୍ୟବସ୍ଥା ମହିଳାଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଏ। ସ୍ମାର୍ଟ ପୋଲିସିଂ, ନିରାପଦ ପରିଚାଳନା, ସୁରକ୍ଷିତ ସିଟି ପ୍ରୋଜେକ୍ଟକୁ ସହାୟତା ପାଇଁ ପ୍ରଯୁକ୍ତି ବ୍ୟବହାରକୁ ପ୍ରଥମ ପର୍ଯ୍ୟାୟରେ ୮ ମହାନଗର ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ ଏବଂ ମୁମ୍ବାଇରେ ଲାଗୁ କରାଯାଇଛି। ସୋସିଆଲ ମିଡିଆରେ ଅଶ୍ଳୀଳ ବିଷୟ ସମ୍ପର୍କରେ ଜନସାଧାରଣ ଅଭିଯୋଗ କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨୦୧୮ ସେପ୍ଟେମ୍ବର ୨୦ରେ ସାଇବର ରିପୋର୍ଟିଂ ପୋର୍ଟାଲ ଏବଂ ଯୌନ ଅପରାଧୀଙ୍କ ଉପରେ ଏକ ଜାତୀୟ ଡେଟାବେସ୍‌ ଆରମ୍ଭ କରିଥିଲେ।

Share