Categories: ଜାତୀୟ

୧୩ ବିମାନ ବନ୍ଦର ଘରୋଇକରଣକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୧୦ା୯: କେନ୍ଦ୍ର ସରକାରଙ୍କ ନ୍ୟାଶନାଲ ମନେଟାଇଜେଶନ ପାଇପଲାଇନ ପ୍ରସ୍ତାବ ମୁତାବକ ୧୩ ବିମାନ ବନ୍ଦର ଘରୋଇକରଣକୁ ଚୂଡାନ୍ତ ମଞ୍ଜୁରୀ ମିଳିଛି। ଏହା ମଧ୍ୟରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଏବଂ ଝାରସୁଗୁଡା ବିମାନ ବନ୍ଦର ମଧ୍ୟ ସାମିଲ ରହିଛି। ୨୦୨୪ ସୁଦ୍ଧା ଏଭଳି ପଦକ୍ଷେପ ଦ୍ୱାରା ୩,୬୬୦ କୋଟି ଟଙ୍କା ଘରୋଇ ପୁଞ୍ଜି ହାସଲ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀଙ୍କ କହିବା ମୁତାବକ, ଭାରତୀୟ ବିମାନ ବନ୍ଦର କର୍ତ୍ତପକ୍ଷ(ଏଏଆଇ)ର ବୋର୍ଡ ୬ ପ୍ରମୁଖ ବିମାନ ବନ୍ଦର ଯଥା- ଭୁବନେଶ୍ୱର, ବାରାଣସୀ, ଅମୃତସର, ତ୍ରିଚି, ଇନ୍ଦୋର, ରାୟପୁର ଏବଂ ୭ ଛୋଟ ବିମାନ ବନ୍ଦରର ଘରୋଇକରଣ ନେଇ ମଞ୍ଜୁରୀ ପ୍ରଦାନ କରିଛି। ଛୋଟ ବିମାନ ବନ୍ଦର ମଧ୍ୟରେ ଝାରସୁଗୁଡା, ଗୟା, କୁସି ନଗର, କଙ୍ଗ୍ରା, ତିରୁପତି, ଜବଲପୁର ଓ ଜଲଗାଓଁ ରହିଛି।
୨୦୨୨ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଲାମ ପ୍ରକ୍ରିୟା ଲାଗି ବିଡ୍‌ ଡକାଯିବ। ଏଥି ସଂକ୍ରାନ୍ତ ବିଭିନ୍ନ ଦସ୍ତାବିଜ ପ୍ରସ୍ତୁତ କରିବା ଲାଗି ଏଏଆଇ ଏକ କନସଲ୍‌ଟାଣ୍ଟ ନିଯୁକ୍ତ କରିବ। ପ୍ରଥମ ଥର ଲାଗି ବଡ଼ ବିମାନ ବନ୍ଦର ସହ ଛୋଟ ଛୋଟ ବିମାନ ବନ୍ଦରଗୁଡିକୁ ଘରୋଇକରଣ କରିବାକୁ ଏଭଳି ପ୍ରକ୍ରିୟା ଜାରି କରାଯାଇଛି। ବିମାନ ବନ୍ଦର ପରିଚାଳନା କ୍ଷେତ୍ରରେ ଘରୋଇ କ୍ଷେତ୍ର ନିବେଶ ଏବଂ ସହଯୋଗିତାକୁ ନଜରରେ ରଖି ଜାତୀୟ ମୁଦ୍ରୀକରଣ ପାଇପଲାଇନରେ ବିଭିନ୍ନ ପ୍ରସ୍ତାବ ରଖାଯାଇଥିବା ନୀତି ଆୟୋଗ କହିଥିଲା। ଜିଏମ୍‌ଆର୍‌ ଏବଂ ଆଦାନୀ ଗ୍ରୁପ ବାଦ ଅନ୍ୟ କିଛି ଛୋଟ ଗ୍ରୁପ ବିମାନ ବନ୍ଦର ପରିଚାଳନା କ୍ଷେତ୍ରକୁ ପ୍ରବେଶ କରିପାରନ୍ତି ବୋଲି ଭିତ୍ତିଭୂମି ଫାର୍ମର ଜଣେ ଏକଜିକ୍ୟୁଟିଭ କହିଛନ୍ତି। ବଡ ବଡ କମ୍ପାନୀଗୁଡିକ ଛୋଟ ବିମାନ ବନ୍ଦର ପ୍ରତି ଏତେଟା ଆଗ୍ରହ ଦେଖାଉ ନଥିବା ସେ ମତ ପ୍ରକାଶ କରିଛନ୍ତି।
ଗତ ଥର ହୋଇଥିବା ବିଡିଂ ପ୍ରକ୍ରିୟାରେ ଆଦାନୀ ଗ୍ରୁପ ୬ଟି ବିମାନ ବନ୍ଦର ପରିଚାଳନା ଲାଗି ମଞ୍ଜୁରୀ ଲାଭ କରିଛି। ଏହି ବିମାନ ବନ୍ଦରଗୁଡିକ ମଧ୍ୟରେ ଅହମ୍ମଦାବାଦ, ଜୟପୁର, ଲକ୍ଷ୍ନୌ, ଥିରୁଭାନନ୍ତପୁରମ, ମାଙ୍ଗାଲୋର, ଗୁଆହାଟି ସାମିଲ ରହିଛି। କରୋନା ପାଇଁ ଯାତ୍ରୀ ଟ୍ରାଫିକ କ୍ଷେତ୍ରରେ ହ୍ରାସ ହୋଇଥିଲେ ମଧ୍ୟ ବିମାନ ବନ୍ଦର ଘରୋଇକରଣ ପ୍ରକ୍ରିୟାରେ କମ୍ପାନୀଗୁଡିକର ଯୋଗଦାନ ହାର କମିନାହିଁ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।

Share