Categories: ଜାତୀୟ

ବଦଳିବ ଦେଶର ୧୩ ବିମାନବନ୍ଦରର ନାମ

ଔରଙ୍ଗାବାଦ,୧୭।୨: ଦେଶରେ ବିମାନବନ୍ଦର, ସହର ଓ ଐତିହାସିକ ସ୍ଥାନଗୁଡିକର ନାମ ପରିବର୍ତ୍ତନ କରିବାର ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ବର୍ତ୍ତମାନ ଦେଶର ୧୩ଟି ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ ମୋଦି ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି ତାଲିକାରେ ମହାରାଷ୍ଟ୍ରର ଔରଙ୍ଗାବାଦ ସହର ମଧ୍ୟ ସାମିଲ ରହିଛି। ଏହାର ଗୋଟିଏ ଦିନ ପୂର୍ବରୁ ଭାଜପା ଶାସିତ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କହିଛନ୍ତି, ରାଜ୍ୟର ସମସ୍ତ ସ୍ଥାନର ନାମ ପରିବର୍ତ୍ତନ କରାଯିବ। ଏଥିପାଇଁ ଜନସାଧାରଣଙ୍କଠାରୁ ପରାମର୍ଶ ନିଆଯିବ ଏବଂ ପରାମର୍ଶ ପାଇଁ ଏକ ପୋର୍ଟାଲ ମଧ୍ୟ ତିଆରି କରାଯାଉଛି। ଅନ୍ୟପଟେ ଔରଙ୍ଗାବାଦ ବିମାନବନ୍ଦର ସମେତ ଦେଶର ୧୩ଟି ବିମାନବନ୍ଦରର ନାମ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଛି ବୋଲି ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ଭାଗବତ କରାଡ ସୂଚନା ଦେଇଛନ୍ତି। ତେବେ ମୋଦି କ୍ୟାବିନେଟ ଏହା ଉପରେ ନିଷ୍ପତ୍ତି ନେବ। ମହାରାଷ୍ଟ୍ରର ଔରଙ୍ଗାବାଦ ସହରର ବିମାନବନ୍ଦର ନାମ ପରିବର୍ତ୍ତନ କରାଯାଇ ମରାଠା ରାଜା ଛତ୍ରପତି ସମ୍ଭାଜୀଙ୍କ ନାମରେ ନାମିତ କରିବାକୁ କେନ୍ଦ୍ରକୁ ଏକ ପ୍ରସ୍ତାବ ଦିଆଯାଇଛି। ହଠାତ୍‌ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଭାଗବତ କହିଛନ୍ତି। ଭାରତରେ ଅତି କମ୍‌ରେ ୧୩ଟି ବିମାନବନ୍ଦରର ନାମ ପରିବର୍ତ୍ତନ କରାଯିବ ଏବଂ ଏହି ବିମାନବନ୍ଦରଗୁଡିକର ନୂତନ ନାମ ଉପରେ କ୍ୟାବିନେଟ ନିଷ୍ପତ୍ତି ନେବ ବୋଲି ସୂଚନା ରହିଛି।

 

Share