Categories: ଜାତୀୟ

ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ରାମ ରହିମ୍‌ଙ୍କୁ ୨୧ ଦିନିଆ ପାରୋଲ…

ଚଣ୍ଡିଗଡ଼, ୭।୨ : ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ୨୧ ଦିନିଆ ପାରୋଲ ଅନୁମତି ଦେଇଛନ୍ତି। ଏବେ ସେ ସୁନାରିଆ ଜେଲରୁ ବାହାରକୁ ଆସିବେ।

ବଳାତ୍କାର ଓ ହତ୍ୟା ମାମଲାରେ ରାମ ରହିମ ଜେଲଦଣ୍ଡ ଭୋଗୁଛନ୍ତି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଗୁରୁମିତ ରାମ ରହିମଙ୍କ ପାରୋଲକୁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଭାବେ ଦେଖାଯାଉଛି। ଫେବୃଆରୀ ୨୦ରେ ପଞ୍ଜାବରେ ମତଦାନ ଅନୁଷ୍ଠିତ ହେବ। ପଞ୍ଜାବର ବହୁ ବିଧାନସଭା ଆସନରେ ତାଙ୍କର ପ୍ରଭାବ ରହିଛି।

ଜେଲ ସୂତ୍ରରୁ ତାଙ୍କୁ ପାରୋଲ ପ୍ରଦାନ କରାଯାଇଥିବା ଜଣାପଡିଛି। ଏହାପୂର୍ବରୁ ରାମ ରହିମଙ୍କୁ ଅସୁସ୍ଥ ମା’ଙ୍କୁ ଦେଖା କରିବା ପାଇଁ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବହୁ ଥର ଜରୁରୀକାଳୀନ ପାରୋଲ ପ୍ରଦାନ କରାଯାଇଥିଲା। କିନ୍ତୁ ଏଥର ତାଙ୍କୁ ସମ୍ପୂର୍ଣ୍ଣ ୨୧ ଦିନ ଛୁଟି ଦିଆଯାଇଛି। ଏହାପୂର୍ବରୁ ହରିୟାଣା ଜେଲ ମନ୍ତ୍ରୀ ରଞ୍ଜିତ ସିଂ ଚୌତାଲା କହିଛନ୍ତି ଯେ ଆଇନ ଅନୁଯାୟୀ ପ୍ରତ୍ୟେକ କଏଦୀଙ୍କ ପାରୋଲ ପାଇବା ଅଧିକାର ରହିଛି ଏବଂ ରାମ ରହିମଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ।

Share