୧୩ ପରିବାରଙ୍କୁ ଗ୍ରାମରୁ ବାସନ୍ଦ, ଗଞ୍ଜାମ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଛତ୍ରପୁର,୧୫।୯(ଦିଲ୍ଲୀପ ସାମଲ): ସରକାର ଓ ଜିଲା ପ୍ରଶାସନ ବିଭିନ୍ନ ସଚେତନତା ସତ୍ତ୍ୱେ ହଟୁନାହିଁ ଗାଁରୁ ବାସନ୍ଦ ପ୍ରଥା । ଗଞ୍ଜାମ ଜିଲାରେ ଦୈନିକ ଏଭଳି ଘଟଣା ଦେଖିବାକୁ ମିଳୁଛି। ପ୍ରଶାସନ ଅଧିକାରୀ ଓ ପୋଲିସର ଦ୍ୱାରସ୍ଥ ସତ୍ତ୍ୱେ ସମସ୍ୟାର ସମାଧାନ ହୋଇପାରୁ ନଥିବା ଅଭିଯୋଗ ହେଉଛି। ଶୁକ୍ରବାର ୧୩ ପରିବାର ନିଜ ଗ୍ରାମ ଓ ଜାତିରୁ ବାସନ୍ଦ କରାଯାଇଥିବା ଅଭିଯୋଗ କରି ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ବାସନ୍ଦ ହୋଇଥିବା ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ସେମାନେ ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବରୋଇ ଗ୍ରାମର ଅନୁସୂଚିତ ଜନଜାତି ପରିବାର ଅଟନ୍ତି । ଗ୍ରାମରେ ପ୍ରାୟ ୧୦୦ ପରିବାର ବସବାସ କରୁଛନ୍ତି । ସେଥିମଧ୍ୟରୁ ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମ ପରିବାର ରହିଛନ୍ତି । ଖ୍ରୀଷ୍ଟ ଧର୍ମ ଅବଲମ୍ବନ କରୁଥିବା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଛି । ଗୋଟିଏ ଗୋଷ୍ଠୀର କେତେକ ଅସମାଜିକ ବ୍ୟକ୍ତି ଅନ୍ୟ ଗୋଷ୍ଠୀର ୧୩ପରିବାରଙ୍କୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଉଛନ୍ତି । ଏପରିକି ସେମାନଙ୍କୁ ଗ୍ରାମରୁ ତଡିଦେବା ସହ ବାସନ୍ଦ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଫଳରେ ୧୩ ପରିବାର ଭୟରେ ଜୀବନ କାଟୁଛନ୍ତି । ଏନେଇ ଶୁକ୍ରବାର ସେମାନେ ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗଞ୍ଜାମ ଏସପି ଜଗମୋହନ ମିନା ଅଭିଯୋଗ ପାଇବା ପରେ ପାଟପୁର ଥାନା ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେହିପରି ଏହି ଥାନା ବ୍ରହ୍ମପୁର ଏସପିଙ୍କ ଅଧୀନରେ ରହିଥିବା ବେଳେ ବ୍ରହ୍ମପୁର ଏସପିଙ୍କୁ ସାକ୍ଷତ କରିବା ପାଇଁ ସେ କହିଛନ୍ତି ।