ନୂଆଦିଲ୍ଲୀ, ୧୯ ।୬: ଦେଶର ବ୍ୟାଙ୍କଗୁଡ଼ିକର ଋଣରେ ବୃଦ୍ଧି (କ୍ରେଡିଟ୍ ଗ୍ରୋଥ୍) ଗତ ୩ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ତଥ୍ୟରୁ ଜଣାଯାଇଛି। ତଥ୍ୟ ଅନୁସାରେ ୩ ଜୁନ୍ ୨୦୨୨ରେ ଶେଷ ହୋଇଥିବା ପକ୍ଷ (୧୫ ଦିନ)ରେ ବ୍ୟାଙ୍କଗୁଡ଼ିକର କ୍ରେଡିଟ୍ ଗ୍ରୋଥ୍ ପୂର୍ବ ବର୍ଷର ସମାନ ଅବଧି ଅପେକ୍ଷା ୧୩.୧% ବୃଦ୍ଧି ହୋଇଛି। ପୂର୍ବ ବର୍ଷ ବ୍ୟାଙ୍କଗୁଡ଼ିକର ଋଣ ବୃଦ୍ଧି ହାର ପ୍ରାୟ ୫.୭% ରହିଥିଲା। ବ୍ୟାଙ୍କଗୁଡ଼ିକ ମୁଖ୍ୟତଃ ଋଣ ପ୍ରଦାନରୁ ମିଳୁଥିବା ସୁଧ ଦ୍ୱାରା ପରିଚାଳିତ ହୋଇଥା’ନ୍ତି। ସେଥିପାଇଁ କ୍ରେଡିଟ୍ ଗ୍ରୋଥ୍ ବ୍ୟାଙ୍କଗୁଡ଼ିକ ପାଇଁ ଭଲ ଖବର । ଆର୍ବିଆଇ ତଥ୍ୟ ଅନୁସାରେ ୩ ଜୁନ୍ ୨୦୨୨ରେ ଶେଷ ହୋଇଥିବା ପକ୍ଷରେ ବ୍ୟାଙ୍କଗୁଡ଼ିକ ୧.୦୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଫଳରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଇଥିବା ମୋଟ୍ ଋଣ ହାରରେ ବୃଦ୍ଧି ଘଟି ୧୨୧.୪୦ ଲକ୍ଷ କୋଟିରେ ପହଞ୍ଚିଛି।