ଭାଷା ସମ୍ମିଳନୀରେ ଯୋଡ଼ିହେବେ ୧୩ଲକ୍ଷ ପ୍ରବାସୀ

ଭୁବନେଶ୍ୱର,୨୯।୧(ଶର୍ମିଷ୍ଠା ପାଣିଗ୍ରାହୀ): ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହିତ ଯୋଡି ହେବାକୁ ଓଡିଶା ସମେତ ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ମଧ୍ୟ ଉତ୍ସାହିତ ଅଛନ୍ତି। ଏଭଳି ଏକ ସମ୍ମିଳନୀ ରାଜ୍ୟରେ ପ୍ରଥମଥର ଆୟୋଜନ କରାଯାଉଥିବାରୁ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଉଛି। ଅନଲାଇନ ମାଧ୍ୟମରେ ବହୁ ପ୍ରବାସୀ ଭାଗ ନେବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାପଡିଛି। ତେଣୁ ପ୍ରାୟ ୧୩ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ ଅନ୍‌ଲାଇନ ମାଧ୍ୟମରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ସହ ଯୋଡିବା ପାଇଁ ବ୍ୟବସ୍ଥା କରାଯାଉଛି। ଓଡିଶା ପରିବାର ନିର୍ଦ୍ଦେଶାଳୟ ସହ ଯୋଡି ହୋଇଥିବା ୧୭ଟି ପ୍ରବାସୀ ଓଡ଼ିଆ ସଂସ୍ଥା ସହ ଏନେଇ ଆଲୋଚନା ହୋଇଛି। ଦେଶ ବିଦେଶର ବହୁ ଭାଷାବିତ, ଐତିହାସିକ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେଉଛନ୍ତି। ସେମାନଙ୍କଠାରୁ ତଥ୍ୟଭିତ୍ତିକ ଉପସ୍ଥାପନା ସମ୍ପର୍କରେ ଜାଣିବା ନିମନ୍ତେ ବହୁ ପ୍ରବାସୀ ଓଡ଼ିଆ ଇଛାବ୍ୟକ୍ତ କରିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମିଳନୀ ସହ ସେମାନଙ୍କୁ ଯୋଡିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଏପରିକି ଓଡିଶା ସମ୍ପର୍କିତ ବିଭିନ୍ନ ଲେଖାମାନ ସେମାନଙ୍କଠାରୁ ମଧ୍ୟ ଆହ୍ବାନ କରାଯାଉଛି, ଯାହା ଆସନ୍ତା ଓଡିଶା ଦିବସରେ ପ୍ରକାଶ ପାଇବ । ସମ୍ମିଳନୀ ସମ୍ପର୍କରେ ତଥ୍ୟ ଦେବା ପାଇଁ ଖୋଲା ଯାଇଥିବା ୱେବ୍‌ସାଇଟ www.worldodiaconference.org ମାଧ୍ୟମରେ ପଞ୍ଜୀକରଣ ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି।

Share