Categories: ଜାତୀୟ

ନକଲି ଏନ୍‌ସିସି କ୍ୟାମ୍ପ୍‌ରେ ୧୩ ଛାତ୍ରୀଙ୍କୁ ଯୌନ ନିର୍ଯାତନା

ଚେନ୍ନାଇ , ୨୦।୮: ତାମିଲନାଡ଼ୁର କୃଷ୍ଣାଗିରିସ୍ଥିତ ଏକ ଘରୋଇ ବିଦ୍ୟାଳୟର ୧୩ ଛାତ୍ରୀଙ୍କୁ ଗୋଟିଏ ନକଲି ଏନ୍‌ସିସି କ୍ୟାମ୍ପ୍‌ରେ ଯୌନ ନିର୍ଯାତନା କରାଯାଇଥିବାର ଏକ ମାମଲା ସାମନାକୁ ଆସିଛି। ତେବେ ଏହି ମାମଲାରେ ୧୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୋମବାର ପୋଲିସ ସୂଚନା ଦେଇଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଉକ୍ତ ଏନସିସି କ୍ୟାମ୍ପ୍‌ ଆୟୋଜକ, ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ୨ ଶିକ୍ଷକ, ଜଣେ ଖବରଦାତା ଓ ସ୍ଥାନୀୟ ଛାତ୍ରନେତା ରହିଛନ୍ତି। ତେବେ ଉକ୍ତ ଘରୋଇ ବିଦ୍ୟାଳୟକୁ ଏନ୍‌ସିସି ମାନ୍ୟତା ମିଳି ନ ଥିବା ନେଇ ତେବେ ତଦନ୍ତରୁ ଜଣାପଡ଼ିଛି। ଏକ ସାମାଜିକ ସଂସ୍ଥା ପକ୍ଷରୁ ଛାତ୍ରୀଛାତ୍ରଙ୍କ ଏକ ଶିବିର ଆୟୋଜନ କରିବା ପାଇଁ ବିଦ୍ୟାଳୟ ମ୍ୟାନେଜମେଣ୍ଟକୁ ପ୍ରସ୍ତାବ ଦିଆଯାଇଥିଲା। ଉକ୍ତ ଶିବିର ଆୟୋଜିତ ହେଲେ ସ୍କୁଲକୁ ଏନ୍‌ସିସି ମାନ୍ୟତା ମିଳିବ ବୋଲି ଆଶ୍ୱାସନା ଦିଆଯାଇଥିଲା। ତେଣୁ ଏନ୍‌ସିସିର ସ୍ବୀକୃତି ପାଇବା ପାଇଁ ଏହି ଶିବିର ଆୟୋଜନ କରିବାକୁ ସ୍କୁଲ କର୍ତ୍ତୃପକ୍ଷ ରାଜି ହୋଇଯାଇଥିଲେ। ୧୭ ଛାତ୍ରୀ ଓ ୨୪ ଛାତ୍ରଙ୍କୁ ନେଇ ଗତ ଅଗଷ୍ଟ ୫ରୁ ୯ ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ଛାତ୍ର ଏବଂ ଛାତ୍ରୀମାନଙ୍କୁ ଅଲଗା ଅଲଗା ସ୍ଥାନରେ ରହିବା ପାଇଁ ଦିଆଯାଉଥିଲା। ତେବେ ଛାତ୍ରୀମାନଙ୍କ ଉପରେ ନଜର ରଖିବା ପାଇଁ କୌଣସି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିୟୋଜିତ ନ ଥିଲେ ବୋଲି ପୋଲିସ ସୂଚନା ଦେଇଛି। ଛାତ୍ରୀମାନଙ୍କୁ ଉକ୍ତ କ୍ୟାମ୍ପ୍‌ରେ ଯୌନ ଶୋଷଣ କରାଯାଉଥିବା ନେଇ ସ୍କୁଲ ପ୍ରଶାସନ ଜାଣିଥିବା ପୋଲିସ କହିଛି।

Share