ରିୟାଧ୍:ପ୍ରସିଦ୍ଧ ଫୁଟ୍ବଲର ତଥା କିମ୍ବଦନ୍ତୀ କ୍ରୀଡ଼ାବିତ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ବିଶ୍ୱବ୍ୟାପୀ ପ୍ରଶଂସକ ରହିଛନ୍ତି। ସମ୍ପ୍ରତି ତାଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ସାଇକେଲ ଯୋଗେ ୧୩ ହଜାର କିଲୋମିଟର ଯାତ୍ରା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
ରୋନାଲ୍ଡୋଙ୍କର ଗୋଙ୍ଗ୍(୨୪) ନାମକ ଚାଇନାର ଏହି ପ୍ରଶଂସକ ସାଇକେଲ ଯୋଗେ ଚାଇନାରୁ ସାଉଦି ଆରବ ଯାତ୍ରା କରିଥିଲେ। ସେ ନିଜର ଆଦର୍ଶ ଫୁଟ୍ବଲରଙ୍କୁ ଭେଟିବାକୁ ସାଇକେଲରେ ୧୩ ହଜାର କି.ମି.ର ଦୂରତ୍ୱ ଅତିକ୍ରମ କରିଥିଲେ। ଏଥିପାଇଁ ତାଙ୍କୁ ପ୍ରାୟ ୭ ମାସ ସମୟ ଲାଗିଥିଲା। ଗୋଙ୍ଗ୍ ଗତ ମାର୍ଚ୍ଚ ୧୮ରେ ନିଜର ଯାତ୍ରା ଆରମ୍ଭ କରିଥିବାବେଳେ ସେ ସୋମବାର ସାଉଦି ଆରବର ଅଲ୍ ନାସର ଫୁଟ୍ବଲ୍ କ୍ଲବ ସମ୍ମୁଖରେ ରୋନାଲ୍ଡୋଙ୍କୁ ଭେଟିବାର ସୁଯୋଗ ପାଇଥିଲେ।
ଏହି ଅବସରରେ ରୋନାଲ୍ଡୋ ଗୋଙ୍ଗ୍ଙ୍କୁ ନିଜର ଜର୍ସି ଓ ଅଟୋଗ୍ରାଫ୍ ଉପହାରରେ ଦେଇଥିଲେ। ଏହି ସାକ୍ଷାତ୍ ପରେ ସେ ବହୁତ ଖୁସି ଅଛନ୍ତି ବୋଲି ଗୋଙ୍ଗ୍ କହିଛନ୍ତି।