ବନ ବିଭାଗ ଦ୍ୱାରା ୧୩ ଦେଶୀ କୁଜି କଇଁଛ ଜବତ

ମହାକାଳପଡ଼ା,୧୨ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦେଶୀ କଇଁଛ ମାଂସ ସହରକୁ ଚାଲାଣ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ଏହାର ଚାହିଦା ସହର ଅଞ୍ଚଳରେ ରହିଛି ବୋଲି କୁହାଯାଇଛି। ଏହି ଅଞ୍ଚଳର କେତେଜଣ କଇଁଛ ବେପାରୀ ସକ୍ରିୟ ହୋଇଛନ୍ତି। ଦେଶୀ କଇଁଛ ଜଙ୍ଗଲ ଭିତରୁ, ନଦୀବନ୍ଧ ବଣ ବୁଦା ମୂଳେ ଓ ବାଡ଼ି ବଗିଚାରେ ଦେଖିବାକୁ ମିଳେ। କେତେଜଣ ଅସାଧୁ ବ୍ୟକ୍ତି ଏହି ଦେଶୀ କଇଁଛଗୁଡିକ ଧରି ନିକଟସ୍ଥ ହାଟ, ବଜାରରେ ଗଢ଼ି ଉଠିଥିବା ମାଛ ଫିସାରି ମାଧ୍ୟମରେ ନଦୀ ପଥରେ ଡଙ୍ଗା ଓ ସ୍ଥଳ ପଥରେ ବସ୍‌ ଯୋଗେ କୋଲକାତା, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର ଓ ପାରାଦୀପ ଆଦି ଅଞ୍ଚଳକୁ ଚାଲାଣ କରୁଛନ୍ତି। ବିଶେଷକରି ଏହି କଇଁଛ ମାଂସ ରୋଗୀଙ୍କ ମୁଖ୍ୟ ଖାଦ୍ୟ ହୋଇଥାଏ। ଏହାର ବଜାର ଦର କିଲୋ ପ୍ରତି ୫ଶହ ଟଙ୍କାରୁ ଅଧିକ ବୋଲି ବେପାରୀମାନେ ନାମ ଗୋପନ ସର୍ତ୍ତରେ କହିଛନ୍ତି।
ଗୁରୁବାର ସାରେ ବ୍ଲକର ସ୍ଥାନୀୟ ଜଗରୀଜୋର ସାପ୍ତାହିକ ହାଟରୁ ଏକ ବସ୍‌ରେ କୋଲକାତା କଇଁଛ ବିକ୍ରି କରିବାକୁ ମସୁଧା ଚାଲିଥିଲା। କୌଣସି ସୂତ୍ରରୁ ଖବରପାଇ ବନ ବିଭାଗ କର୍ମଚାରୀ ରୋଜାଲିନ ଦାସଙ୍କ ସମେତ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚତ୍ ଜଣେ ବେପାରୀଙ୍କୁ ଅଟକ ରଖିଥିଲେ। ତାଙ୍କ ନିକଟରୁ ୧୩ଟି ଦେଶୀ କୁଜି କଇଁଛକୁ ଅଖା ବସ୍ତାରେ ଭର୍ତ୍ତି ହୋଇଥିବା ଦେଖି ଜବତ କରିଥିଲେ। ଅଟକ ହୋଇଥିବା କଇଁଛ ବେପାରୀ ହେଲେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ ଧନିଆପଲ୍ଲୀ ଗ୍ରାମର ସହଦେବ ମଲିକ(୪୮) ବୋଲି ଜଣାପଡ଼ିଛି। ଏହି ଦେଶୀ କଇଁଛଗୁଡ଼ିକ ସେଡୁଲ- ୨ରେ ଅନ୍ତର୍ଭୁକ୍ତ ହୋଇଥିବାରୁ ୧୯୭୨ ବନ୍ୟଜୀବ ବନ୍ୟଜନ୍ତୁ ସୁରକ୍ଷା ସଂରକ୍ଷଣ ଆଇନ ଅନୁସାରେ ଏକ ମାମଲା ରୁଜୁ କରାଯାଇ କେସ ନମ୍ବର ଓଆର୍‌ ୧୨/ଏମ ୨୦୨୩-୨୪ କରାଯାଇଛି। ଶୁକ୍ରବାର ଏହି କଇଁଛ ବେପାରୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ମହାକାଳପଡ଼ା ବନାଞ୍ଚଳ ଅଧିକାରୀ କାର୍ତ୍ତିକେଶ୍ୱର ଖଣ୍ତାଇ କହିଛନ୍ତି। ତେବେ ସେହିପରି ଏହି ପ୍ରଜାତିର ଦେଶୀ କଇଁଛଗୁଡିକ ବ୍ଲକର ବତିଘର, ଜମ୍ବୁ, ରାମନଗର, ତନ୍ତିଆପାଳ, ବାବାର, ବହାକୁଦ, ତିଖିରୀ, ଯଦୁପୁର, ଓରତଘାଟ ନିକଟରୁ ଗୁପ୍ତ ଭାବେ ବେପାରୀମାନେ ଚାଲାଣ କରୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳରୁ ଦେଶୀ କଇଁଛଗୁଡିକର ବଂଶ ଲୋପ ପାଇବାକୁ ବସିଲାଣି ବୋଲି ପରିବେଶ ପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ ଅଭିଯୋଗ କରିଛନ୍ତି।