Categories: ଖେଳ

ମାତ୍ର ୧୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିରୋଧରେ ଶତକ ମାରିଲେ ଭାରତର ଏହି ବିସ୍ମୟ ବାଳକ

ଚେନ୍ନାଇ, ୧ା୧୦: ଦ୍ୱିତୀୟ ଟେଷ୍ଟରେ ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆର ଆକ୍ରମଣାତ୍ମକ ପ୍ରଦର୍ଶନ ଅନେକ ଯୁବ ତାରକାଙ୍କୁ ଅନୁପ୍ରାଣିତ କରିଛି। ମାତ୍ର ୧୩ ବର୍ଷ ବୟସରେ, ଯୁବ ବୈଭବ ସୂର୍ୟ୍ୟବଂଶୀ ଚେନ୍ନାଇର ଏମ.ଏ ଚିଦାମ୍ବରମ୍ ଷ୍ଟାଡିୟମରେ ନିଜର ପରାକାଷ୍ଠା ଦେଖାଇଛନ୍ତି, ଯେଉଁଠି ଭାରତର ୧୯ ବର୍ଷରୁ କମ୍ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ଖେଳୁଛି।

ବୈଭବ ୬୨ ଟି ବଲର ସାମ୍ନା କରି ୧୦୪ ରନ୍ କରିବା ପରେ ରନ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ। ତାଙ୍କର ଏହି ଶତକ ପରେ ସେ ବର୍ତ୍ତମାନ ଯୁବ ଟେଷ୍ଟ ଫର୍ମାଟରେ ଏକ ଶତକ ସ୍କୋର କରିବାରେ ସର୍ବକନିଷ୍ଠ ହୋଇଛନ୍ତି। ଏହି ଶତକ ସହିତ ସେ ପାକିସ୍ତାନର ନାସିର ଜାମସେଦ, ବାଂଲାଦେଶର ମେହିଦି ହାସନ ମିରାଜ ଏବଂ ଅହମ୍ମଦ ଶେହଜାଦ ଏବଂ ହାସନ ରଜାଙ୍କ ପରି ଅନ୍ୟ ପାକିସ୍ତାନୀ ତାରକାଙ୍କୁ ପଛରେ ପକାଇ ଦେଇଛନ୍ତି।

ଏହା ବ୍ୟତୀତ ସେ ଯୁବ ଟେଷ୍ଟ ଫର୍ମାଟରେ ଦ୍ୱିତୀୟ ଦ୍ରୁତତମ ଶତକଧାରୀ ଏବଂ ଫର୍ମାଟରେ ଜଣେ ଭାରତୀୟଙ୍କ ଦ୍ୱାରା ଦ୍ରୁତତମ ଶତକ ମଧ୍ୟ ହାସଲ କରିଛନ୍ତି। ତେବେ ସେ ଇଂଲଣ୍ଡର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ମୋଇନ ଅଲିଙ୍କ ପଛରେ ଅଛନ୍ତି, ଯିଏ ୨୦୦୫ ରେ ୫୬ ଟି ବଲରେ ଶତକ ହାସଲ କରିଥିଲେ। ତେବେ ଯୁବ ବୈଭବ ପୂର୍ବରୁ ପ୍ରଥମ ଶ୍ରେଣୀ ଫର୍ମାଟରେ ଡେବ୍ୟୁ କରିସାରିଛନ୍ତି ଯେଉଁଠାରେ ସେ ଦୁଇଟି ମ୍ୟାଚ୍ ପାଇଁ ବିହାରକୁ ପ୍ରତିନିଧିତ୍ୱ କରିଥିଲେ।

ମ୍ୟାଚ୍ କଥା କହିଲେ ଅଷ୍ଟ୍ରେଲିଆ ଦଳ ବିପକ୍ଷ ୪ ଦିନିଆ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟର ଦ୍ୱିତୀୟ ଦିବସରେ ଓପନର ବୈବଭ ସୂର୍ଯ୍ୟବଂଶୀଙ୍କ ଶତକ ସତ୍ତ୍ୱେ ପୂର୍ବଦିନର ଅସମାପ୍ତ ସ୍କୋର ୧୦୩/୦ର ଖେଳ ଆରମ୍ଭ କରିଥିବା ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲ ଆଉଟ ହୋଇଯାଇଛି।

ସୂର୍ଯ୍ୟବଂଶୀ ମଙ୍ଗଳବାର ତାଙ୍କ ପୂର୍ବଦିନର ଅସମାପ୍ତ ବ୍ୟକ୍ତିଗତ ସ୍କୋର ୮୧ରୁ ଆରମ୍ଭ କରି ଶତକ ପୂରଣ କରିବାରେ ସଫଳ ହୋଇଥିଲେ। ସେ ୬୨ ବଲ୍‌ ସାମ୍ନା କରି ୧୪ ଚୌକା ଓ ୪ ଛକା ସହ ୧୦୪ ରନ କରିଥିଲେ। ବିଭାନ ମାଲହୋତ୍ରା (୭୬ରନ, ୧୦୮ ବଲ୍‌, ୧୩ ଚୌକା ଓ ୧ ଛକା)ଙ୍କ ସହ ଓପନିଂ ଯୋଡ଼ିରେ ସେ ୧୩୩ ରନ ଯୋଗ କରିଥିଲେ।

ତେବେ ଅଷ୍ଟ୍ରେଲିଆ ସ୍ପିନର ଥେଆମ ବ୍ରାଉନ ଓ ଭାରତୀୟ ବଂଶୋଦ୍ଭବ ବିଶ୍ୱ ରାମକୁମାରଙ୍କ ଚମତ୍କାର ବୋଲିଂ ଯୋଗୁ ଅବଶିଷ୍ଟ ବ୍ୟାଟର କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ସ୍କୋରଠାରୁ ଭାରତ ମାତ୍ର ୩ ରନ ଅଧିକ ସ୍କୋର କରିବାରେ ସକ୍ଷମ ହୋଇଥିଲେ। ଭ୍ରମଣକାରୀ ଦଳ ମଙ୍ଗଳବାର ଖେଳ ଶେଷ ସୁଦ୍ଧା ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ବିନିମୟରେ ୧୧୦ ରନ ସଂଗ୍ରହ କରିପାରିଛି। ଘରୋଇ ଦଳଠାରୁ ୧୦୭ ରନ ଆଗରେ ରହିଛି। ଏଠିକାର ପିଚ୍‌ରେ ଚତୁର୍ଥ ଇନିଂସରେ ୨୦୦ ପାଖାପାଖି ରନ ପିଛା କରିବା କଷ୍ଟ ସାଧ୍ୟ।

Share