୧୩୦ଟି ବସ୍‌ରେ ଖାର୍କିଭ-ସୁମିରୁ ଉଦ୍ଧାର ହେବେ ଭାରତୀୟ

କ୍ୱିଭ୍‌,୪।୩: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଉଦ୍ଧାର କରିବା ଲାଗି ରୁଷିଆ ମଧ୍ୟ ଆଗକୁ ଆସିଛି। ରୁଷିଆ ପକ୍ଷରୁ ଏଥିପାଇଁ ୧୩୦ଟି ବସ୍‌କୁ ପ୍ରସ୍ତୁତ କରାଯାଇଛି। ଏହି ବସ୍‌ରେ ୟୁକ୍ରେନ ସୀମା ଦେଇ ଭାରତୀୟଙ୍କୁ ଉଦ୍ଧାର କରାଯିବ। ଏହାପରେ ତାଙ୍କୁ ରୁଷିଆର ବେଲଗୋରୋଡକୁ ଅଣାଯିବ। ରୁଷିଆର ରାଷ୍ଟ୍ରୀୟ ପ୍ରତିରକ୍ଷା ନିୟନ୍ତ୍ରଣ କେନ୍ଦ୍ରର ମୁଖ୍ୟ କନେର୍ର୍ଲ ଜେନେରାଲ ମିଖାଇଲ ମିଜିଣ୍ଟସେଭ୍‌ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୩୦ଟି ବସ୍‌ ମାଧ୍ୟମରେ ଭାରତୀୟ ତଥା ଅନ୍ୟ ବିଦେଶୀ ଛାତ୍ରମାନଙ୍କୁ ଖାର୍କିଭ ଏବଂ ସୁମିରୁ ରୁଷିଆକୁ ଅଣାଯିବ। ସୂଚନାଯୋଗ୍ୟ, କ୍ରମାଗତ ନବମ ଦିନରେ ରୁଷିଆ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହି ଆକ୍ରମଣ ଯୋଗୁ ହଜାର ହଜାର ଭାରତୀୟଙ୍କ ସମେତ ଅନେକ ଦେଶର ନାଗରିକମାନେ ଅନେକ ସହରରେ ଫସି ରହିଛନ୍ତି। ଏହି ସମୟରେ ରୁଷିଆ ସହାୟତାର ହାତ ବଢ଼ାଇବା ସହ ଖାର୍କିଭ ଏବଂ ସୁମିରୁ ଭାରତୀୟ ତଥା ଅନ୍ୟ ଦେଶର ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ୧୩୦ଟି ବସ୍‌ର ବ୍ୟବସ୍ଥା କରିଛି। ଏଥିସହ ନେଖୋତେଭକା ଓ ସୁଡଝା ଚେକପଏଣ୍ଟରେ ବସ ପ୍ରସ୍ତୁତ ରହିଛି ବୋଲି ମିଖାଇଲ ମିଜିଣ୍ଟସେଭ୍‌ କହିଛନ୍ତି।

 

Share