Categories: ଫୁରସତ

ହସ୍ପିଟାଲରେ ୧୩୨ ବର୍ଷର ଟନେଲ

ମୁମ୍ବାଇ: ମୁମ୍ବାଇର ସରକାରୀ ଡାକ୍ତରଖାନା ଜେ.ଜେ. ହସ୍ପିଟାଲରୁ ବ୍ରିଟିଶ ଅମଳର ଏକ ଟନେଲ ଠାବ ହୋଇଛି। ଟନେଲ୍‌ଟି ପାଖାପାଖି ୧୩୨ ବର୍ଷ ପୁରୁଣା ହୋଇଥିବାବେଳେ ଏହାର ଲମ୍ବ ୨୦୦ ମିଟର ବୋଲି କୁହାଯାଉଛି। ଡାକ୍ତରଖାନାର ମେଡିକାଲ ଓ୍ବାର୍ଡରୁ ଏହି ଟନେଲକୁ ଠାବ କରାଯାଇଛି। ୧୮୯୦ରେ ଏହାକୁ ନିର୍ମାଣ କରାଯାଇଥିବା ଜଣାପଡ଼ିଛି। ହସ୍ପିଟାଲରେ ଥିବା ନର୍ସିଂ କଲେଜରେ ଓ୍ବାଟର ଲକେଜ୍‌ ଅସୁବିଧା ବହୁ ଦିନ ଧରି ଲାଗି ରହିଥିବାରୁ ପିଲାମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଓ୍ବାଟର ଲିକେଜ୍‌ର କାରଣ ଖୋଜି ବାହାର କରିବା ସମୟରେ ଡାକ୍ତରଖାନାର ମେଡିକାଲ ଓ୍ବାର୍ଡରୁ ଟନେଲ ଥିବା ପିଡବ୍ଳ୍ୟୁଡି ଇଞ୍ଜିନିୟର ଏବଂ ସିକ୍ୟୁରିଟି ଗାର୍ଡ ପ୍ରଥମେ ଜାଣିବାକୁ ପାଇଥିଲେ। ଟନେଲ ଭିତରେ ବେସ୍‌ମେଣ୍ଟ ଥିବା କୁହାଯାଉଛି।
୧୮୪୩ ମାର୍ଚ୍ଚ ୩୦ରେ ଜେ.ଜେ. ମେଡିକାଲ କଲେଜର ଶିଳାନ୍ୟାସ କରାଯାଇଥିଲା। ଦକ୍ଷିଣ ଏସିଆରେ ଏହା ସବୁଠାରୁ ପୁରୁଣା ମେଡିକାଲ କଲେଜର ଆଖ୍ୟା ପାଇଛି। ଟନେଲ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଜିଲାପାଳଙ୍କ ନିକଟକୁ ପଠାଯାଇଥିବାବେଳେ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଏକ ସ୍ବତନ୍ତ୍ର ଟିମ୍‌ ଟନେଲକୁ ନେଇ ଆଗାମୀ ଗବେଷଣା ଆରମ୍ଭ କରିବେ ବୋଲି ସୂଚନା ଦିଆଯାଇଛି।

Share