ଜରାଜୀର୍ଣ୍ଣ ଅବସ୍ଥାରେ ୧୩୪ ବର୍ଷର ବିଦ୍ୟାଳୟ

ବାଲିଗୁଡ଼ା,୨୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଖରା ହେଲେ ବାରଣ୍ଡାରେ ପାଠପଢ଼ା, ବର୍ଷା ହେଲେ ଛତା ଧରି ଛାତ ତଳେ ପାଠ ପଢ଼ା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ବ୍ରିଟିଶ ଅମଳର ବଡ଼ଗାଁ ପ୍ରାଥମିକ ବିଦ୍ୟାଳୟରେ। ୧୮୮୯ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ସରକାରୀ ପ୍ରଥମିକ ବିଦ୍ୟାଳୟ। ଅନୁସୂଚିତ ଜନଜାତି ଓ ଜାତି ଛାତ୍ରୀଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବଡ଼ଗାଁ ବିଦ୍ୟାଳୟଟି ପ୍ରତିଷ୍ଠା ଦିନଠାରୁ ସେହି ପୁରୁଣା କୋଠାରେ ଚାଲିଛି। ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ପର୍ଯ୍ୟନ୍ତ ରହିଛି। ପ୍ରଥମରେ ୭ ଜଣ, ଦ୍ୱିତୀୟରେ ୪ଜଣ, ତୃତୀୟରେ ୫ ଜଣ, ଚତୁର୍ଥରେ ୮ଜଣ, ପଞ୍ଚମ ରେ ୫ ଜଣ ମୋଟ ୩୦ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି। ବର୍ଷା ହେଲେ ଛତା ଧରି ଛାତ ତଳେ, ଖରା ହେଲେ ବାରଣ୍ଡାରେ ପାଠ ପଢୁଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ମାଧ୍ୟମରେ ସ୍ମାର୍ଟ ସ୍କୁଲ ନିର୍ମାଣ କରି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ନେଇ ପ୍ରଚାର ପ୍ରସାର କରୁଥିବା ବେଳେ ଏହି ବଡଗାଁ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ରକୁ ପଦାରେ ପକାଇଦେଇଛି। ବିଦ୍ୟାଳୟ କୋଠା ଠିକ ନଥିବାରୁ ପିଲାଙ୍କ ଉପସ୍ଥାନ ହ୍ରାସ ପାଉଛି। ନୂତନ ଶ୍ରେଣୀ କୋଠରୀ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅଭିଭାବକ। ବାଲିଗୁଡ଼ା ଶିକ୍ଷା ଜିଲାର ସର୍ବପୁରାତନ ବିଦ୍ୟାଳୟ କହିଲେ ଏହି ବିଦ୍ୟାଳୟକୁ ବୁଝାଯିବ। ଏହି ବିଦ୍ୟାଳୟ ରେ ୩୦ଜଣ ଛାତ୍ରୀଛାତ୍ର ପାଠ ପଢ଼ୁଛନ୍ତି ଓ ଦୁଇ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଛନ୍ତି। କିନ୍ତୁ ଶ୍ରେଣୀ କୋଠରୀର ଆବଶ୍ୟକ ରହିଛି। ଯେଉଁ କୋଠରୀ ରହିଛି ତାହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ତେଣୁ ଆବଶ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ଲିଖିତ ଭାବେ ଅନୁରୋଧ କରାଯାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ତ୍ତ ଚନ୍ଦ୍ର ଖଟୁଆ ପ୍ରକାଶ କରିଛନ୍ତି।

Share