ଏଣିକି ସବୁ ଅଭିଯୋଗ ପାଇଁ ‘୧୩୯’

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ହେଲ୍ପଲାଇନ ନମ୍ବରକୁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି। ଯାତ୍ରୀମାନେ ହେଲ୍ପଲାଇନ ନମ୍ବରକୁ ସହଜରେ ମନେରଖିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଏଣିକି ଏହି ନମ୍ବରକୁ ମନେ ରଖି ରେଲଓ୍ବେ ସହିତ ଯୋଗାଯୋଗ କରିବା ସୁବିଧା ହେବ। ହେଲ୍ପଲାଇନ ନମ୍ବର ୧୩୯ ସହିତ ସୁରକ୍ଷା, ସାଧାରଣ ଅଭିଯୋଗ, କ୍ୟାଟରିଂ, ଭିଜିଲାନ୍ସ ଭଳି ସମସ୍ତ ହେଲ୍ପଲାଇନ ନମ୍ବରକୁ ମିଶ୍ରଣ କରାଯାଇଛି। ସମସ୍ତ ଅନୁସନ୍ଧାନ ଏବଂ ଅଭିଯୋଗ ପାଇଁ ଏହି ଏକକ ନମ୍ବର ବ୍ୟବହାର ହେବ। ସେହିଭଳି ଜୋନାଲ ରେଲଓ୍ବେ ୧୩୯ ବ୍ୟତୀତ ଅନ୍ୟ କୌଣସି ନୂତନ ହେଲ୍ପଲାଇନ ନମ୍ବର ଜାରି କରିପାରିବ ନାହିଁ। ପୂର୍ବରୁ ହେଲ୍ପଲାଇନ ନମ୍ବରଗୁଡିକ ନିର୍ଦ୍ଦିଷ୍ଟ ସମସ୍ୟା ଓ ବିଷୟ ପାଇଁ ଉତ୍ସର୍ଗୀକୃତ ଥିଲା। ସାଧାରଣ ଅଭିଯୋଗ ଏବଂ ‘କ୍ଲିନ୍‌ ମାଇଁ କୋଚ୍‌’ ପାଇଁ ୧୩୮, ଦୁର୍ଘଟଣା ଏବଂ ନିରାପତ୍ତା ପାଇଁ ୧୦୭୨, ସୁରକ୍ଷା ଏବଂ ନିରାପତ୍ତା ଭିତ୍ତିକ ସମସ୍ୟା ପାଇଁ ପୂର୍ବରୁ ୧୮୨ ନମ୍ବର ରହିଥିବାବେଳେ ତାହାକୁ ଏବେ ଅପସାରଣ କରାଯିବ। ବର୍ତ୍ତମାନ ଜାରି ହୋଇଥିବା ଇଣ୍ଟିଗ୍ରେଟେଡ୍‌ ବା ମିଶ୍ରିତ ହେଲ୍ପଲାଇନ ନମ୍ବର ୧୩୯ ବିଭିନ୍ନ ଭାଷାରେ ଉପଲବ୍ଧ ହେବ। ଏହା ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେସପନ୍ସ ସିଷ୍ଟମ୍‌(ଆଇଭିଆର୍‌ଏସ୍‌) ଉପରେ ଆଧାରିତ ଏବଂ ସମସ୍ତ ପ୍ରକାର ମୋବାଇଲ୍‌ ବ୍ୟବହାରକାରୀ ଏହି ନମ୍ବରରେ ସେବା ପାଇପାରିବେ। ୧୩୯ ଡାଏଲ୍‌ କରିବା ଦ୍ୱାରା ଆଇଭିଆର୍‌ଏସ୍‌ ବାଛିବା ପାଇଁ ମେନ୍ୟୁ ବିକଳ୍ପଗୁଡ଼ିକ ସହିତ ଉପସ୍ଥାପନ ହେବ ଏବଂ ତାହା ତୁରନ୍ତ କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀମାନଙ୍କୁ ସଂଯୋଗ ହେବ। ଟ୍ରେନ ଚଳାଚଳ ସମ୍ବନ୍ଧୀୟ ଦରକାରୀ ଅନୁସନ୍ଧାନ ତଥା ସଂରକ୍ଷଣ ସମ୍ବନ୍ଧୀୟ ଅନୁସନ୍ଧାନର ପିଏନ୍‌ଆର୍‌ ସ୍ଥିତି, ଟିକେଟ୍‌(ଜେନେରାଲ୍‌ ଓ ତତ୍କାଳ) ଉପଲବ୍ଧତା, ଟ୍ରେନ୍‌ ଆଗମନ ଓ ପ୍ରସ୍ଥାନ, ମାର୍ଗ ପରିବର୍ତ୍ତନ ଏବଂ ବାତିଲ କାର୍ଯ୍ୟସୂଚୀ, ବର୍ଥ ଉପଲବ୍ଧତା, ଟିକେଟ୍‌ ବାତିଲ୍‌, ଭଡ଼ା, ଗନ୍ତବ୍ୟସ୍ଥଳ ଇତ୍ୟାଦି ଜାଣିବା ପାଇଁ ଉପଭୋକ୍ତାମାନେ ଏଥିରେ କଲ୍‌ ଓ ଏସ୍‌ଏମ୍‌ଏସ୍‌ କରିପାରିବେ। ଏହାବ୍ୟତୀତ ଯାତ୍ରା ସମୟ ଆଲର୍ଟ, ୱେକଅପ୍‌ କଲ୍‌, ଅନ୍‌-ବୋର୍ଡ ସେବା ଏବଂ ସୁରକ୍ଷା ସମ୍ବନ୍ଧୀୟ ଘଟଣା ଇତ୍ୟାଦି ସମ୍ବନ୍ଧରେ ଅଭିଯୋଗ ଓ ସୂଚନା ଆଦାନପ୍ରଦାନ କରାଯାଇ ପାରିବ।

Share