ପଦ୍ମପୁର,୨୯।୨(ପ୍ରଶାନ୍ତ କୁମାର କର)- ନଡ଼ିଆ ବୋଝେଇ ଟ୍ରକ୍ରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଖବରପାଇ ପଦ୍ମପୁର ପୋଲିସ ଗାଡି ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ପୋଲିସ ଗାଡ଼ିରୁ ୧୩୬୫ କେଜି ଗଞ୍ଜେଇ ସହ ନଗଦ ୫ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ ଜବତ କରିଛି। ଗିରଫ ୨ ଅଭିଯୁକ୍ତ ହେଲେ ଶ୍ରୀଭନ ପାଲ ଏବଂ ରାଜେନ୍ଦ୍ର ରାଉତ। ଏ ନେଇ ପୋଲିସ ଏକ ମାମଲା(ନଂ.୩୨/୨୪) ରୁଜୁ କରିଛି।
ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ବୋଲି ଗୁଣପୁର ଏସ୍ଡିପିଓ ବାବୁଲି ନାୟକ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗଞ୍ଜେଇ ଗଜପତି ଜିଲାର ଅଡବା ଅଞ୍ଚଳରୁ ବିହାର ଚାଲାଣ ହେଉଥିବା ପୋଲିସ କହିଛି। ଖବରଦାତା ସମ୍ମିଳନୀରେ ପଦ୍ମପୁର ଥାନା ଆଇଆଇସି ରଞ୍ଜନ କୁମାର ମାଝି ଓ କେନ୍ଦୁଗୁଡା ପୋଲିସ ଉପସ୍ଥିତ ଥିଲେ।
ପୋଲିସ ସୂଚନା ମୁତାବକ, ନଡ଼ିଆ ବୋଝେଇ ଟ୍ରକ୍ରେ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା କୌଣସି ସୂତ୍ରରୁ ରାୟଗଡ଼ା ଏମ୍ପି ହରିଶ ବିଶି ଖବର ପାଇଥିଲେ। ଏ ନେଇ ସେ ପଦ୍ମପୁର ଓ କେନ୍ଦୁଗୁଡା ପୋଲିସକୁ ସୂଚନା ଦେବାପରେ ଉଭୟ କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏକ ଟ୍ରକ୍ (ନଂ.ବି ଆର .୦୧.ଜିଏଚ୍ ୬୬୫୧)ରେ ପ୍ରାୟ ୧ହଜାରରୁ ଉଦ୍ଧର୍ବ ନଡ଼ିଆ ସହ ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିଲା। ପୋଲିସ ଗାଡିରୁ ୧୩୬୫ କେଜି ଗଞ୍ଜେଇ ଜବତ କରିଛି।