Categories: ଜାତୀୟ

କୋଇଲା ସାମ୍ପଲିଂରେ ୧୩୭ କୋଟିର ଦୁର୍ନୀତି

ନୂଆଦିଲ୍ଲୀ, ୨୭ା୬(ପି.ଟି.): କୋଲ୍‌ ସାମ୍ପଲିଂ ପ୍ରକଳ୍ପ ପାଇଁ ୧୩୭ କୋଟି ଟଙ୍କା ବୌଦ୍ଧିକ ଦେୟ ଆବଣ୍ଟନରେ ଦୁର୍ନୀତିକୁ ନେଇ ସିବିଆଇ ସିଏସ୍‌ଆଇଆର୍‌-କେନ୍ଦ୍ରୀୟ ଖଣି ଓ ଇନ୍ଧନ ଗବେଷଣା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ପି.କେ. ସିଂ ଏବଂ ମୁଖ୍ୟ ବୈଜ୍ଞାନିକ ଏ.କେ. ସିଂଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିଭିନ୍ନ କମ୍ପାନୀ ଦ୍ୱାରା ବ୍ୟବହୃତ ହେବାକୁ ଥିବା କୋଇଲାର ମାନ ପରୀକ୍ଷାରେ ଲାଇବ୍ରେରିଆନ୍‌, ଏମ୍‌ବିବିଏସ୍‌ ଡାକ୍ତର, ଟେକ୍‌ନିକାଲ ଅଫିସରମାନଙ୍କର କୌଣସି ଅବଦାନ ନ ଥିଲାବେଳେ ସେମାନଙ୍କୁ ଉକ୍ତ ପ୍ରକଳ୍ପର ବୌଦ୍ଧିକ ଦେୟ ପୈଠ କରାଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି। ସିଏସ୍‌ଆଇଆର୍‌ର ଟେକ୍‌ନୋଲୋଜିକାଲ ଟ୍ରାନ୍ସଫର ଆଣ୍ଡ ନଲେଜ୍‌ ବେସ୍‌, ୨୦୦୫ ଓ ୨୦୧୭ ଗାଇଡ୍‌ଲାଇନର ଉଲ୍ଲଂଘନ କରି ୩୦୪ କୋଇଲା ନମୁନା ପରୀକ୍ଷଣ ପ୍ରକଳ୍ପ ଜରିଆରେ ପି.କେ. ସିଂ ୧୫.୩୬ କୋଟି ଏବଂ ଏ.କେ. ସିଂ ୯.୦୪ କୋଟି ଟଙ୍କା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ର ଓ କୋଇଲା କମ୍ପାନୀ ଦ୍ୱାରା ବ୍ୟବହୃତ ହେବାକୁ ଥିବା କୋଇଲାର ନମୁନା ପରୀକ୍ଷଣ ଏବଂ ବିଶ୍ଳେଷଣ ପାଇଁ ସିଏସ୍‌ଆଇଆର୍‌-ସିଆଇଏମ୍‌ଏଫ୍‌ଆର୍‌କୁ ଥାର୍ଡ ପାର୍ଟି ଭାବେ ୨୦୧୫ ଅକ୍ଟୋବର ୨୮ ବୈଠକରେ ନିଯୁକ୍ତ କରାଯାଇଥିଲା। ଏହି ବୈଠକରେ କୋଇଲା, ଶକ୍ତି ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଅଧ୍ୟକ୍ଷତା କରିଥିଲେ। ଉକ୍ତ ସଂସ୍ଥା ୧୦ ବର୍ଷ ପାଇଁ କୋଇଲା ଉତ୍ପାଦନକାରୀ ଏବଂ ବିଦ୍ୟୁତ୍‌ କମ୍ପାନୀଗୁଡ଼ିକ ସହ ୪ଟି ବୁଝାମଣାପତ୍ର ସ୍ବାକ୍ଷର କରିଥିଲା, ଯାହାକୁ ମୌଖିକ ସହମତିରେ ଆଉ ୫ ବର୍ଷ ବଢ଼ାଯାଇପାରିବ। ବିଭିନ୍ନ ରାଜିନାମାକୁ ଏକାଠି କରି ସିଏସ୍‌ଆଇଆର୍‌-ସିଆଇଏଫ୍‌ଏମ୍‌ଆର୍‌ ୩୦୪ କୋଇଲା ସାମ୍ପଲିଂ ପ୍ରୋଜେକ୍ଟକୁ ଗୋଟିଏ ପ୍ରୋଜେକ୍ଟ କରିଥିଲା। ପି.କେ. ସିଂ ଏବଂ ଏ.କେ. ସିଂ ଏଥିରେ ଷଡ଼ଯନ୍ତ୍ର କରି ୨୦୧୬ରୁ ୨୦୨୧ ମଧ୍ୟରେ ୧୩୭.୭୯ କୋଟି ଟଙ୍କାର ମାନଦେୟ, ବୌଦ୍ଧିକ ଦେୟ ଏବଂ ପ୍ରକଳ୍ପ ଦେୟ ଆବଣ୍ଟନରେ ଅନିୟମିତତା କରିଥିଲେ। ଉକ୍ତ ଦେୟକୁ ସିଆଇଏଫ୍‌ଏମ୍‌ଆର୍‌ର ବୈଜ୍ଞାନିକ, ଟେକ୍‌ନିକାଲ ଅଫିସର ଓ ପ୍ରଶାସନିକ କର୍ମଚାରୀମାନଙ୍କୁ ଦିଆଯାଇଥିଲା। ସିଏସ୍‌ଆଇଆର୍‌ ଗାଇଡ୍‌ଲାଇନର ଉଲ୍ଲଂଘନ କରାଯାଇ ଏବଂ ଶ୍ରମଶକ୍ତି, ଶ୍ରମଦିବସ ଓ ଫଳାଫଳକୁ ବିଚାରକୁ ନିଆ ନ ଯାଇ ଅଫିସରମାନଙ୍କ ମର୍ଜିରେ ବୌଦ୍ଧିକ ଦେୟକୁ ଆବଣ୍ଟନ କରାଯାଇଥିଲା ବୋଲି ସିବିଆଇ ଅଭିଯୋଗ କରିଛି।

Share