୧୩୮ ନିୟୁତ ଘଣ୍ଟା ନିଦ ଚୋରି

ହେଲସିନ୍‌କି,୯ା୧୧: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦେଶବାସୀଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇଦେଇଥିଲା। ସ୍ବାଭାବିକ ସମୟ ଅପେକ୍ଷା ମତଦାନ ରାତିରେ ଲୋକଙ୍କ ଚାପ ଓ ଉତ୍କଣ୍ଠା ଏତେ ବଢ଼ିଯାଇଥିଲା ଯେ, ସେମାନଙ୍କ ଶୋଇବା ସମୟ କମିଯାଇଥିଲା। ଆମେରିକୀୟମାନେ ପ୍ରାୟତଃ ଦୈନିକ ୭ ଘଣ୍ଟା ଶୋଉଥିବାବେଳେ ନିର୍ବାଚନ ରାତିରେ ସାଢ଼େ ୬ ଘଣ୍ଟା ଶୋଇପାରିଥିଲେ। ଏହି ବିଷୟ ଏକ ଉପକରଣରୁ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି।
ରାତିରେ ଆମେରିକାବାସୀ ୧୩୮ ନିୟୁତ ଘଣ୍ଟା ଶୋଇପାରି ନ ଥିଲେ ବୋଲି ଫିନ୍‌ଲାଣ୍ଡରେ ବିକଶିତ ହେଲ୍‌ଥ ଟ୍ରାକିଂ ଉପକରଣ ‘ଓଉରା ରିଙ୍ଗ୍‌’ ତଥ୍ୟରୁ ସୂଚନା ମିଳିଛି। ଓଉରା ରିଙ୍ଗ୍‌କୁ କେତେଜଣ ୟୁଜର୍ସଙ୍କ ଅଙ୍ଗୁଳିରେ ପିନ୍ଧାଯିବା ପରେ ଏହା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ହୃଦ୍‌ସ୍ପନ୍ଦନକୁ ଟ୍ରାକ୍‌ କରି ତାଙ୍କ ଭିତରେ ଚାଲିଥିବା ବିଭିନ୍ନ ଅବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା। ଏଥିରେ ଥିବା ସେନ୍ସର ୟୁଜର୍ସଙ୍କ ଶରୀରର ତାପମାତ୍ରା, ରକ୍ତ ପ୍ରବାହ, ଉଦ୍‌ବିଗ୍ନତା ଓ ନିଦ୍ରାହୀନତାକୁ ମାପ କରିଥିଲା। ଆମେରିକାର ନାଗରିକମାନେ ନିର୍ବାଚନ ରାତିରେ ଶୋଇପାରି ନ ଥିବା ମୋଟ ସମୟ ୧୩୮ ନିୟୁତ ଘଣ୍ଟା ବୋଲି ହାରାହାରି ହିସାବରୁ ଜଣାପଡ଼ିଥିଲା।

Share