‘ମୋ ସରକାର’ ଟିମ୍‌ର ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୬ ଜିଲାର ସ୍ବାସ୍ଥ୍ୟ ଭିତ୍ତିଭୂମିର ହେବ ଉନ୍ନତିକରଣ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ସ୍ବାସ୍ଥ୍ୟସେବା କ୍ଷେତ୍ରରେ ‘ମୋ ସରକାର’ କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କେତେକ ଘୋଷଣା କରିଛନ୍ତି। ଏହି ଘୋଷଣାନୁଯାୟୀ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ୬ଟି ରୋଗୀ କଲ୍ୟାଣ ସମିତିକୁ ୧୫ଲକ୍ଷ ଲେଖାଏ ଟଙ୍କାର ସହାୟତା ଦିଆଯିବ। ଏଥିସହ ଜିଲାର ପୋଲିସ ଏସ୍‌ପିମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ଲାଗି ପ୍ରତ୍ୟେକଙ୍କୁ ୧୦ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଏପରିକି ଜିଲାର ହସ୍‌ପିଟାଲଗୁଡ଼ିକରେ ରୋଗୀଙ୍କ ଆଟେଣ୍ଡାଣ୍ଟମାନଙ୍କ ପାଇଁ ରେଷ୍ଟ ସେଡ୍‌ ନିର୍ମାଣ କରାଯିବ।

ସମ୍ବଲପୁର ଜିଲା ହସ୍‌ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହ କାଜୁଆଲିଟି ଓ ବର୍ହିବିଭାଗ ଚିକିତ୍ସା ପାଇଁ ବିଲଡିଂ ନିର୍ମାଣ କରାଯିବ। ଜିଲା ସଦରମହକୁମା ହସ୍‌ପିଟାଲରେ ମା’ ଗୃହ ପାଇଁ ନୂତନ ବିଲ୍‌ଡିଂ ନିର୍ମାଣ କରାଯିବା ସହ ଡାଇଲିସିସ୍‌ ୟୁନିଟ୍‌ ଏବଂ ଆଇସିୟୁ ପ୍ରତିଷ୍ଠା କରାଯିବ। ଦେବଗଡ଼ ଜିଲା ସଦରମହକୁମା ହସ୍‌ପିଟାଲ ଶଯ୍ୟା ସଂଖ୍ୟା ୬୦ରୁ ୨ଶହକୁ ବୃଦ୍ଧି କରାଯିବ। ଅନୁଗୋଳ ଜିଲା ସଦର ମହକୁମା ହସ୍‌ପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩ଶହକୁ ବୃଦ୍ଧି କରାଯିବା ସହ ଏଥିପାଇଁ ସେହି କ୍ୟାମ୍ପସ୍‌ ମଧ୍ୟରେ ଏକ ନୂଆ ବିଲ୍‌ଡିଂ ନିର୍ମାଣ କରାଯିବ। କେନ୍ଦ୍ରାପଡ଼ା ଜିଲା ସଦର ମହକୁମା ହସ୍‌ପିଟାଲର ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବା ସହ ନୂଆ କ୍ୟାମ୍ପସ୍‌ରେ ଷ୍ଟାଫ୍‌ କ୍ୱାଟର୍ସ, ଆଧୁନିକ ଓପିଡି ଓ ଆଇସିୟୁ ଆଦି ସ୍ଥାପନ କରାଯିବ। ସେହିଭଳି ସୋନପୁର ଜିଲା ସଦର ମହକୁମା ହସ୍‌ପିଟାଲର୨ଶହ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲ୍‌ଡିଂ ନିର୍ମାଣ କାର୍ଯ୍ୟ ଏକ ମାସ ମଧ୍ୟରେ ଆରମ୍ଭ ହେବ। ବଲାଙ୍ଗୀର ସନ୍ଥ ଭୀମଭୋଇ ମେଡିକାଲ କଲେଜର ଶିକ୍ଷାଦାନ ଓ ହସ୍‌ପିଟାଲ ବିଲ୍ଡିଂ ନିର୍ମାଣ ୨୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

Share