Categories: ଜାତୀୟ

ଶଶି ଥରୁର, ଡିମ୍ପଲ୍ ଯାଦବ, ସୁପ୍ରିୟା ସୁଲେ ଲୋକସଭାରୁ ନିଲମ୍ବିତ, ୧୪୧ ରେ ପହଞ୍ଚିଲା ଏମପିଙ୍କ ନିଲମ୍ବନ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୨: ସଂସଦର ସୁରକ୍ଷା ବିଭ୍ରାଟ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ବିରୋଧୀ ଦଳର ଆଭିମୁଖ୍ୟ ଜାରି ରହିଛି। ଲୋକସଭାରେ ବାଚସ୍ପତିଙ୍କୁ ଅପମାନିତ କରିଥିବା ଅନେକ ସଦସ୍ୟଙ୍କୁ ମଙ୍ଗଳବାର ପୁଣି ନିଲମ୍ବିତ କରାଯାଇଛି। ଏଥିମଧ୍ୟରେ କଂଗ୍ରେସ ଏମପି ଶଶି ଥରୁର, ଏସପି ଏମପି ଡିମ୍ପଲ ଯାଦବ ଏବଂ ଏନସିପି ଏମପି ସୁପ୍ରିୟା ସୁଲେଙ୍କ ନାମ ରହିଛି। କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ପ୍ରସ୍ତାବ କ୍ରମେ ମଙ୍ଗଳବାର ୪୮ ସଦସ୍ୟ ନିଲମ୍ବିତ ହୋଇଛନ୍ତି।

ଗତ ସପ୍ତାହରେ ପାର୍ଲାମେଣ୍ଟ ସୁରକ୍ଷାରେ ବିଭ୍ରାଟକୁ ନେଇ ବିରୋଧୀ ଏମ୍‌ପିମାନେ ଗୃହରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ବିବୃତି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶୃଙ୍ଖଳିତ ଆଚରଣ ପାଇଁ ପାର୍ଲାମେଣ୍ଟର ଉଭୟ ଗୃହରୁ ସୋମବାର ୭୮ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରାଯାଇଥିଲା। ଗତ ଗୁରୁବାର ମଧ୍ୟ ଅନୁରୂପ କାରଣରୁ ୧୪ ଏମପିଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା। ଫଳରେ ମଙ୍ଗଳବାର ସୁଦ୍ଧା ଚଳିତ ଅଧିବେଶନରେ ମୋଟ ନିଲମ୍ବିତ ସଦସ୍ୟଙ୍କ ସଂଖ୍ୟା ୧୪୧ ରେ ପହଞ୍ଚିଛି।

ଅନ୍ୟପଟେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୈନିକ ଜାଗରଣ ଖବରକାଗଜକୁ ଦେଇଥିବା ଏକ ସାକ୍ଷାତକାରରେ ସୁରକ୍ଷା ବିଭ୍ରାଟକୁ ଏକ ଗୁରୁତର ବିଷୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଏହାର ଯାଞ୍ଚ କରାଯିବା ଉଚିତ ବୋଲି କହିଛନ୍ତି। କିନ୍ତୁ ଏହା ଉପରେ ବିତର୍କର କୌଣସି ଆବଶ୍ୟକତା ନଥିବା ସେ କହିଛନ୍ତି।

Share