୧୪ ସିସି କ୍ୟାମେରା ଅଚଳ, ୨୯ ଅଧା କାମ କରୁନି

ଭୁବନେଶ୍ୱର, ୧୩।୬(ବ୍ୟୁରୋ): ସହରର ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପାଇଁ ଭୁବନେଶ୍ୱରର ବିଭିନ୍ନ ପଏଣ୍ଟରେ ସିସି କ୍ୟାମେରା ରହିଛି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସ୍ଥାନରେ ଏହା ମାସ ମାସ ଧରି ଅଚଳ ହୋଇପଡିଥିଲେ ମଧ୍ୟ ଆବଶ୍ୟକ ମରାମତି କରାଯାଉ ନାହିଁ କି ନୂଆ ଲଗାଯାଉ ନାହିଁ। ସ୍ମାର୍ଟ ସିଟିରେ ସ୍ମାର୍ଟ ତଦାରଖ ନିମନ୍ତେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ ପୋଲିସ ପକ୍ଷରୁ ବହୁ କୋଟି ଟଙ୍କା ବ୍ୟୟରେ ୧୪୭ ସ୍ଥାନରେ ୫୭୧ଟି ସିସି କ୍ୟାମେରା ଲଗାଯାଇଛି। ଏଥିମଧ୍ୟରୁ ଏସ୍‌ଭିଡିଏସ୍‌ (ସ୍ପିଡ୍‌ ଭାଓଲେଶନ୍‌ ଡିଟେକ୍‌ଟିଭ୍‌ ସିଷ୍ଟମ) ଓ ଟିଭିଡିଏସ୍‌ (ଟ୍ରାଫିକ ଭାଓଲେଶନ୍‌ ଡିଟେକ୍‌ଟିଭ ସିଷ୍ଟମ୍‌) ଲାଗି ୩୨ଟି ସ୍ଥାନରେ ୩୧୨ଟି କ୍ୟାମେରା ଲଗାଯାଇଛି। ତେବେ ୫୫୭ଟି କ୍ୟାମେରା କାର୍ଯ୍ୟ କରୁଥିବାବେଳେ ୧୪ଟି ଅଚଳ ହୋଇପଡିରହିଛି। ସେହିପରି ୨୯ଟି ସ୍ଥାନରେ ଲାଗି ଥିବା ଟିଭିଡିଏସ୍‌ କ୍ୟାମେରାଗୁଡିକର କେତେବେଳେ ଲିଙ୍କ୍‌ ମିଳୁନାହିଁ ତ ଆଉ କେତେକ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବରୁ କ୍ୟାମେରା ଉପରେ ଓ ତା’ଚାରିପାଖେ ଗଛ ଲତା ମାଡ଼ିଯିବା ସହ ପକ୍ଷୀମାନେ ବସା ବାନ୍ଧିଥିବା ଦେଖିବାକୁ ମିଳୁଛି।
ଏନେଇ ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା କହିଛନ୍ତି, ସିସି କ୍ୟାମେରା ମାଧ୍ୟମରେ ସହରର ଟ୍ରାଫିକ ବ୍ୟବସ୍ଥାକୁ ପରିଚାଳନା କରାଯାଉଛି। ଟିଭିଡିଏସ୍‌ ଓ ଏସ୍‌ଭିଡିଏସ୍‌ ଦ୍ୱାରା ଉଲ୍ଲଂଘନକାରୀଙ୍କୁ ଚିହ୍ନଟ କରାଯାଇ ଇ-ଚାଲାଣ କଟାଯାଉଛି। କିନ୍ତୁ କେତେକ ସ୍ଥାନରେ ସିସି କ୍ୟାମେରାଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇ ପଡିରହିଛି। ଖୁବ୍‌ଶୀଘ୍ର ସେଗୁଡିକର ମରାମତି କରାଯିବା ସହ ଆଉ କେତେକ ସ୍ଥାନରେ ଅଚଳ ସିସି କ୍ୟାମେରାକୁ ହଟାଇ ନୂଆ ଲଗାଯିବ।

Share